Sat. Feb 21st, 2026

ନ୍ୟୁଜ ଡେକ୍ସ : ବିଶ୍ୱର ବିଭିନ୍ନ ଦେଶ ସହିତ ଭାରତରେ ମଧ୍ୟ ଲଗାତାର ଭୂମିକମ୍ପ ହେଉଥିବାରୁ ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି ପୃଥିବୀର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ହେଉଥିବା ବେଳେ, ଭାରତର ଉତ୍ତର–ପୂର୍ବ ରାଜ୍ୟ ସିକିମ ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ରହିପାରିନି। ଗତକାଲି ମଧ୍ୟରାତ୍ରିରୁ ସିକିମରେ ଲଗାତାର ପ୍ରାୟ ୧୨ଟି ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଲୋକମାନଙ୍କୁ ଗଭୀର ଭୟରେ ପକାଇଦେଇଛି।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଗତରାତି ୧ଟା ୯ ମିନିଟ୍‌ରେ ସିକିମରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମାପ କରାଯାଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିକିମର ଗ୍ୟାଲସିଂ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଥିଲା। ମଧ୍ୟରାତ୍ରିରେ ହଠାତ୍ ଜମି କମ୍ପିଉଠିବାରୁ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ଲଗାତାର ଭୂମିକମ୍ପ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଏବଂ ଆପତ୍କାଳୀନ ସେବା ସଂସ୍ଥାଗୁଡ଼ିକୁ ସତର୍କ ରଖାଯାଇଛି।

ଏହା ସହିତ ଭାରତର ପଡ଼ୋଶୀ ଦେଶ ମିଆଁମାରରେ ମଧ୍ୟ ଭୂମିକମ୍ପ ଲୋକଙ୍କୁ ଭୟଭୀତ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ସକାଳ ୬ଟା ୩ ମିନିଟ୍‌ରେ ମିଆଁମାରରେ ଏକ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ପ୍ରାୟ ୯୬ କିଲୋମିଟର ଗଭୀରତାରେ ଥିବା ବୋଲି ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମସିହାରେ ମିଆଁମାରରେ ହୋଇଥିବା ଏକ ଭୟଙ୍କର ଭୂମିକମ୍ପରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟିଥିଲା।

ସେହି ଘଟଣା ପରେ ଏବେ ପୁଣି ଭୂମିକମ୍ପ ହେବା ମିଆଁମାର ସହିତ ପୂର୍ବ ଏସିଆ ଅଞ୍ଚଳକୁ ଚିନ୍ତାରେ ପକାଇଦେଇଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭାରତର ଉତ୍ତର–ପୂର୍ବ ଅଞ୍ଚଳ ଓ ମିଆଁମାର ଭୂମିକମ୍ପ ସମ୍ଭାବନା ଅଧିକ ଥିବା ଜୋନ୍‌ରେ ଅବସ୍ଥିତ। ତେଣୁ ଲୋକମାନଙ୍କୁ ସଚେତନ ରହିବା ସହିତ ଆପତ୍କାଳୀନ ପରିସ୍ଥିତି ପାଇଁ ସଦା ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *