ନ୍ୟୁଜ ଡେକ୍ସ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ଶିକ୍ଷକ, ବିଦ୍ୟାଳୟ ଓ ଶିକ୍ଷା ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମାକୁ ପୁନର୍ବାର ବଢ଼ାଯାଇଛି। ଏହାର ନୂଆ ଶେଷ ତାରିଖ ଫେବୃଆରୀ ୧୮ ରଖାଯାଇଛି। ପୂର୍ବରୁ ଏହି ସମୟସୀମାକୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀଭାବେ ସୂଚନା ଦିଆଯାଇଛି।ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଧିକ ସଂଖ୍ୟାରେ ଯୋଗ୍ୟ ଶିକ୍ଷକ, ବିଦ୍ୟାଳୟ ଓ ଶିକ୍ଷା ସଂସ୍ଥାମାନଙ୍କୁ ଆବେଦନ କରିବାର ସୁଯୋଗ ଦେବା ପାଇଁ ଏହି ସମୟସୀମାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ଏକାଧିକ ବର୍ଗରେ ପୁରସ୍କାର ଦିଆଯିବ। ଏଥିରେ ମାଧ୍ୟମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର,ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର,ଗ୍ରାମପଞ୍ଚାୟତ ପୁରସ୍କାର,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (CRCC) ପୁରସ୍କାର,ଜିଲ୍ଲା ଶିକ୍ଷା ଅଧିକାରୀ (DEO) ପୁରସ୍କାର,ବ୍ଲକ ଶିକ୍ଷା ଅଧିକାରୀ (BEO) ପୁରସ୍କାର,ଜିଲ୍ଲା ଓ ବ୍ଲକ ପୁରସ୍କାର,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପୁରସ୍କାର ସମ୍ମିଳିତ ରହିଛି।
ଯୋଗ୍ୟ ଆବେଦକମାନେ ଅନଲାଇନ ମାଧ୍ୟମରେ www.msp.odisha.gov.in ୱେବସାଇଟରେ ଯାଇ ନିଜର ଆବେଦନ ଦାଖଲ କରିପାରିବେ। ୱେବସାଇଟରେ ପୁରସ୍କାର ସମ୍ପର୍କିତ ସମସ୍ତ ମାନଦଣ୍ଡ, ଆବେଦନ ପ୍ରକ୍ରିୟା ଓ ଆବଶ୍ୟକ ଦସ୍ତାବେଜ ସମ୍ପର୍କିତ ସମସ୍ତ ସୂଚନା ଉପଲବ୍ଧ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ରାଜ୍ୟର ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ଏହା ଦ୍ୱାରା ଶିକ୍ଷକମାନଙ୍କ ମଧ୍ୟରେ ଆଉ ଅଧିକ ଉତ୍ସାହ ଓ ପ୍ରେରଣା ସୃଷ୍ଟି ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

