ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ଶାସନକୁ ଅଧିକ ଗତିଶୀଳ ଓ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଏହି ଫେରବଦଳ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଏହି ନୂତନ ନିଯୁକ୍ତି ଓ ଦାୟିତ୍ୱ ବଣ୍ଟନରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ଗତି ଆସିବାକୁ ଆଶା କରାଯାଉଛି।
ଦେଓ ରଞ୍ଜନ କୁମାର ସିଂ, ଯିଏ ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟରତ, ସେହି ସହିତ ତାଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱ ମଧ୍ୟ ଦେଖିବେ। ବିଷ୍ଣୁପଦ ସେଠୀ, ଯିଏ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଛନ୍ତି, ସେହି ସହିତ କେବିକେ (KBK) ଅଞ୍ଚଳର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅରବିନ୍ଦ ପାଢୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଥିବା ବେଳେ ସେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ଜାରି ରଖିବେ।ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଡିଜି ଭାବେ ନିଯୁକ୍ତ କରାଯାଇଥିବା ସହ ଶ୍ରମ ଓ ବିଜ୍ଞାନ କାରିଗର ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଛି।
ଉଷା ପାଢୀଙ୍କୁ ଇଡକୋ (IDCO)ର ଅଧ୍ୟକ୍ଷା କରାଯାଇଥିବା ବେଳେ ସେ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ମଧ୍ୟ ଦେଖିବେ।ଶୁଭ ଶର୍ମାଙ୍କୁ ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହ ଏନବିଏସ ରାଜପୁତଙ୍କୁ ପରିବହନ ବିଭାଗର ନୂଆ ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି ଏବଂ ସେ ଓଏସଆରଟିସି (OSRTC)ର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଗିରିଶ ଏସଏନଙ୍କୁ ଓଏମସି (Odisha Mining Corporation)ର ଅଧ୍ୟକ୍ଷ କରାଯାଇଥିବା ବେଳେ ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ। ମୃଣାଳିନୀ ଦର୍ଶୱାଲଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।
ବଳୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମଡି ଭାବେ ନିଯୁକ୍ତ କରାଯାଇଥିବା ସହ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଛି। ସଚିନ ରାମଚନ୍ଦ୍ର ଯାଦବ ନୂଆ କୃଷି ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ସେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଦାୟିତ୍ୱ ମଧ୍ୟ ଦେଖିବେ।ସରକାରଙ୍କ ଏହି ବଡ଼ ପ୍ରଶାସନିକ ଅଦଳବଦଳ ରାଜ୍ୟର ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଉନ୍ନୟନ କାର୍ଯ୍ୟକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି।

