Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପଦକ୍ଷେପ ନେଇଛନ୍ତି। ସଂରକ୍ଷିତ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବା ଲକ୍ଷ୍ୟରେ “ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) – ୨୦୨୬” ନାମକ ଏକ ନୂଆ ଅଧ୍ୟାଦେଶକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ମଞ୍ଜୁରୀ ପରେ ଏହି ଅଧ୍ୟାଦେଶକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଆକାରରେ ଜାରି କରାଯାଇଛି।

ନୂଆ ନିୟମ ଅନୁଯାୟୀ, ଏଣିକି ଶିକ୍ଷକ ନିଯୁକ୍ତି ସମୟରେ ପ୍ରତ୍ୟେକ ସରକାରୀ ବିଶ୍ୱବିଦ୍ୟାଳୟକୁ ‘ଏକକ ୟୁନିଟ’ ଭାବେ ଗ୍ରହଣ କରାଯିବ। ଏହାର ଅର୍ଥ, ଏକେ ଏକ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ଶିକ୍ଷକ ପଦବୀକୁ ଏକ ଗୋଟିଏ ୟୁନିଟ୍ ଭାବରେ ଗଣାଯିବ ଏବଂ ସେହି ଆଧାରରେ ସଂରକ୍ଷଣ ନୀତିକୁ କାର୍ଯ୍ୟକାରୀ କରାଯିବ। ପୂର୍ବରୁ ବିଭାଗ ବା ପଦବୀ ଭିତ୍ତିକ ଭାବେ ଯେପରି ଗଣନା ହେଉଥିଲା, ସେହି ପ୍ରଣାଳୀରେ ଏହି ନୂଆ ବ୍ୟବସ୍ଥା ଏକ ବଡ଼ ପରିବର୍ତ୍ତନ ଆଣିଛି।ଏହି ଅଧ୍ୟାଦେଶ ଅନୁଯାୟୀ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ କ୍ୟାଡରରେ ହେଉଥିବା ସିଧାସଳଖ ନିଯୁକ୍ତିରେ ଏଣିକି ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଓ ଏସଇବିସି (SEBC) ବର୍ଗ ପାଇଁ ନିର୍ଦ୍ଦିଷ୍ଟ ହାରରେ ପଦବୀ ସଂରକ୍ଷିତ ରହିବ। ଏହି ସଂରକ୍ଷଣ ୧୯୭୫ ମସିହାର ଓଡ଼ିଶା ସଂରକ୍ଷଣ ଅଧିନିୟମ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାର ଜାରି କରିଥିବା ସରକାରୀ ସଂକଳ୍ପ ଅନୁଯାୟୀ ଲାଗୁ ହେବ।

ରାଜ୍ୟ ସରକାରର ଏହି ନିଷ୍ପତ୍ତି ଦ୍ୱାରା ସରକାରୀ ବିଶ୍ୱବିଦ୍ୟାଳୟରେ ସଂରକ୍ଷିତ ବର୍ଗର ଶିକ୍ଷକମାନେ ଅଧିକ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଦୀର୍ଘଦିନ ଧରି ଚାଲିଥିବା ବିଭିନ୍ନ ଦାବି ଓ ଆଇନଗତ ଜଟିଳତାକୁ ଧ୍ୟାନରେ ରଖି ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବକୁ ମଞ୍ଜୁର କରିଥିଲା, ଯାହା ପରେ ଏହାକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି।ଶିକ୍ଷାବିଦ୍‌ ଏବଂ ସଂରକ୍ଷିତ ବର୍ଗର ସଂଗଠନଗୁଡ଼ିକ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ଏହା ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସମାନତା ଓ ସାମାଜିକ ନ୍ୟାୟକୁ ଅଧିକ ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *