Sat. Feb 21st, 2026

ନ୍ୟୁଜ ଡେକ୍ସ : ଦେଶର ନାଗରିକଙ୍କ ମୌଳିକ ଅଧିକାର ଏବଂ ବ୍ୟକ୍ତିଗତ ସ୍ୱାଧୀନତାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଭାରତର ସୁପ୍ରିମକୋର୍ଟ ଏକ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଅପରାଧରେ ସର୍ବାଧିକ ୭ ବର୍ଷ କିମ୍ବା ତାହାଠାରୁ କମ୍ ଜେଲ୍ ସଜାର ପ୍ରାବଧାନ ରହିଛି, ସେହି ମାମଲାରେ ଅଭିଯୁକ୍ତଙ୍କୁ ସିଧାସଳଖ ଭାବେ ଗିରଫ କରିବାକୁ ପୋଲିସଙ୍କୁ ଅନୁମତି ମିଳିବ ନାହିଁ।

ଏପରି କ୍ଷେତ୍ରରେ ଗିରଫଦାରୀ ନୁହେଁ, ବରଂ ନୋଟିସ୍ ଦେଇ ତଦନ୍ତରେ ସହଯୋଗ ନେବା ହେଉଛି ପ୍ରାଥମିକ ପଦକ୍ଷେପ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ନୂଆ ଅପରାଧିକ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୩୫(୩)କୁ ଉଲ୍ଲେଖ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, କମ୍ ଗୁରୁତର ମାମଲାରେ ପୋଲିସ ପ୍ରଥମେ ଅଭିଯୁକ୍ତଙ୍କୁ ନୋଟିସ୍ ଦେବେ ଏବଂ ତାଙ୍କୁ ତଦନ୍ତରେ ଯୋଗଦେବାକୁ କହିବେ। ଯଦି ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁଛନ୍ତି, ତେବେ ତାଙ୍କୁ ଗିରଫ କରିବାର କୌଣସି ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ଏହା ମଧ୍ୟ କହିଛନ୍ତି ଯେ, ପୋଲିସ କେବଳ “ପ୍ରଶ୍ନ ପଚାରିବା ପାଇଁ” କାହାକୁ ଗିରଫ କରିପାରିବେ ନାହିଁ।

ଗିରଫଦାରୀ କେବଳ ସେତେବେଳେ କରାଯିବ, ଯେତେବେଳେ ତାହା ଅତ୍ୟନ୍ତ ଆବଶ୍ୟକ ଏବଂ ଅପରିହାର୍ଯ୍ୟ ହେବ ଯଥା ଅଭିଯୁକ୍ତ ପଳାଇଯିବାର ଆଶଙ୍କା, ସାକ୍ଷ୍ୟ ନଷ୍ଟ କରିବା ବା ସାକ୍ଷୀଙ୍କୁ ଧମକ ଦେବା ପରି ପରିସ୍ଥିତି ଥିଲେ।ନ୍ୟାୟମୂର୍ତ୍ତି ଏମ୍.ଏମ୍. ସୁନ୍ଦରେଶ ଏବଂ ନ୍ୟାୟମୂର୍ତ୍ତି ଏନ୍. କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇ କହିଛନ୍ତି ଯେ, ଗିରଫ କରିବା ପୋଲିସର ଏକ ବିବେକାଧୀନ କ୍ଷମତା, କିନ୍ତୁ ଏହା ସବୁ ମାମଲାରେ ବାଧ୍ୟତାମୂଳକ ନୁହେଁ।

ଏହି କ୍ଷମତାର ଅପବ୍ୟବହାର ହେଲେ ଲୋକଙ୍କର ମୌଳିକ ଅଧିକାର ଓ ସ୍ୱାଧୀନତା ଉଲ୍ଲଂଘନ ହୁଏ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।ଆଇନ ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହି ରାୟ ଦେଶର ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ମାର୍ଗଦର୍ଶିକା ହେବ ଏବଂ ଅନାବଶ୍ୟକ ଗିରଫଦାରୀ ଓ ଜେଲ୍ ଦୁର୍ବ୍ୟବହାରକୁ ହ୍ରାସ କରିବ। ଏହା ମାଧ୍ୟମରେ ନାଗରିକଙ୍କ ଅଧିକାର ସୁରକ୍ଷିତ ହେବା ସହିତ ସମଗ୍ର ଆପରାଧିକ ନ୍ୟାୟ ପ୍ରଣାଳୀ ଅଧିକ ନ୍ୟାୟସଙ୍ଗତ ଏବଂ ମାନବିକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *