ନ୍ୟୁଜ ଡେକ୍ସ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓ ଦେଶର ଅଗ୍ରଣୀ ବିଲେଟ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡା ସ୍ଥିତ ତାହାର କାରଖାନାରେ ଏକ ଐତିହାସିକ ସମ୍ପ୍ରସାରଣ ସଫଳତାର ସହ ସମ୍ପନ୍ନ କରିଛି। କମ୍ପାନୀ ତାହାର ବିଲେଟ୍ ଉତ୍ପାଦନ କ୍ଷମତାକୁ ୫୮୦ କେଟିପିଏରୁ ବଢ଼ାଇ ୮୩୦ କେଟିପିଏକୁ ନେଇଯାଇଛି, ଯାହା ଝାରସୁଗୁଡାକୁ ବିଶ୍ୱସ୍ତରର ସର୍ବବୃହତ ଆଲୁମିନିୟମ ବିଲେଟ୍ ଉତ୍ପାଦନ କେନ୍ଦ୍ରମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି।
ଏହି ବିସ୍ତାର ଅନ୍ତର୍ଗତ ଅତିରିକ୍ତ ୨୫୦ କେଟିପିଏ ନୂତନ କ୍ଷମତା ଯୋଡାଯାଇଛି, ଯାହା ଭାରତର ଘରୋଇ ବିଲେଟ୍ ଚାହିଦାର ଅଧାରୁ ଅଧିକ ଯୋଗାଣ କରିବାରେ ବେଦାନ୍ତଙ୍କୁ ସକ୍ଷମ କରିଛି। ୫ ରୁ ୧୨ ଇଞ୍ଚ ବ୍ୟାସରେ ଉପଲବ୍ଧ ବେଦାନ୍ତର ବିଲେଟ୍ଗୁଡ଼ିକ ଏକ୍ସଟ୍ରୁସନ୍ ପ୍ରକ୍ରିୟାରେ ବ୍ୟବହୃତ ହୋଇ ଭିତ୍ତିଭୂମି, ପରିବହନ, ନବୀକରଣୀୟ ଶକ୍ତି, ବୈଦ୍ୟୁତିକ ପ୍ରଣାଳୀ, ଉପଭୋକ୍ତା ସାମଗ୍ରୀ ଓ ପ୍ୟାକେଜିଂ ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପକୁ ସମର୍ଥନ ଯୋଗାଇଥାଏ। ଏହି ବିଲେଟ୍ ଉତ୍ପାଦନ ସୁବିଧା ବିଶ୍ୱପ୍ରସିଦ୍ଧ ୱାଗଷ୍ଟାଫ୍ (ଯୁକ୍ତରାଷ୍ଟ୍ର) ଓ ହର୍ଟୱିଚ୍ (ଅଷ୍ଟ୍ରିଆ) ଠାରୁ ଆସିଥିବା ଆଧୁନିକ କାଷ୍ଟିଂ ଓ ସମନ୍ୱୟ ପ୍ରଯୁକ୍ତିରେ ସଜ୍ଜିତ, ଯାହା ଉଚ୍ଚ-ଗୁଣବତ୍ତା ଓ ନିଖୁଟ ଇଞ୍ଜିନିୟର୍ଡ ଉତ୍ପାଦନକୁ ସୁନିଶ୍ଚିତ କରେ। ଏହା ସହିତ ୧୨୦ କେଟିପିଏ କ୍ଷମତାର ଏକ ନୂତନ ପ୍ରାଥମିକ ଫାଉଣ୍ଡ୍ରି ଆଲୟ ସୁବିଧା ମଧ୍ୟ ସ୍ଥାପନ କରାଯାଇଛି, ଯାହା କମ୍ପାନୀର ମୂଲ୍ୟ-ଯୁକ୍ତ ଉତ୍ପାଦନ କ୍ଷମତାକୁ ଆହୁରି ବିସ୍ତାର କରିବ।
ଏହି ଉପଲବ୍ଧି ଉପରେ ମତ ପ୍ରକାଶ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ, ଝାରସୁଗୁଡାରେ ହେଉଥିବା ଏହି ତ୍ୱରାନ୍ୱିତ ସମ୍ପ୍ରସାରଣ ଭାରତକୁ ଏକ ବିଶ୍ୱସ୍ତରୀୟ, ଆତ୍ମନିର୍ଭରଶୀଳ ଆଲୁମିନିୟମ ଉତ୍ପାଦନ କେନ୍ଦ୍ର ଭାବରେ ଗଢ଼ି ତୋଳିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଉଚ୍ଚ ବିକାଶଶୀଳ ଶିଳ୍ପଗୁଡ଼ିକୁ ସମୟୋପଯୋଗୀ ଓ ଉଚ୍ଚ ଗୁଣବତ୍ତାର ଉତ୍ପାଦ ଯୋଗାଇ ଭାରତର ବିଶ୍ୱ ମାନଚିତ୍ରରେ ସ୍ଥିତିକୁ ଆହୁରି ମଜବୁତ କରିବ। ବେଦାନ୍ତ ଝାରସୁଗୁଡାର ସିଇଓ ସି. ଚନ୍ଦ୍ରୁ ମଧ୍ୟ କହିଛନ୍ତି ଯେ, ଏହି ବିସ୍ତାର ଝାରସୁଗୁଡାକୁ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ ହବ୍ ଭାବରେ ପରିଚିତ କରିବାରେ ମାଇଲଖୁଣ୍ଟ ସାବିତ ହେବ।
ଉଲ୍ଲେଖଯୋଗ୍ୟ ଯେ, ବେଦାନ୍ତ ଆଲୁମିନିୟମ ବର୍ତ୍ତମାନ ୬୦ରୁ ଅଧିକ ଦେଶକୁ ପ୍ରିମିୟମ୍ ଗ୍ରେଡ୍ ବିଲେଟ୍ ଯୋଗାଇ ଦେଉଛି ଏବଂ ଓଡ଼ିଶା ଓ ଛତିଶଗଡ଼ରେ ତାହାର କ୍ଷମତାକୁ ୧.୨୫ ଏମଟିପିଏକୁ ବଢ଼ାଇବା ଲକ୍ଷ୍ୟ ରଖିଛି। ଝାରସୁଗୁଡା ପ୍ଲାଣ୍ଟ ଭାରତର ପ୍ରଥମ ପ୍ରାଥମିକ ଆଲୁମିନିୟମ ସ୍ମେଲଟର ଯାହା BIS ଏବଂ ଆଲୁମିନିୟମ ଷ୍ଟିୱାର୍ଡସିପ୍ ଇନିସିଏଟିଭ୍ରୁ ପ୍ରମାଣିତ, ଯାହା ଏହାର ଗୁଣବତ୍ତା ଓ ସସ୍ଥାୟୀତା ପ୍ରତିବଦ୍ଧତାକୁ ପ୍ରମାଣିତ କରେ।

