ନ୍ୟୁଜ ଡେକ୍ସ : ଓଡ଼ିଶାର ଜୈବ ବିବିଧତାର ଗର୍ବ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବେ ଏକ ନୂଆ ରୂପ ନେବାକୁ ଯାଉଛି। ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏହି ସୁନ୍ଦର ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଅଭୟାରଣ୍ୟକୁ ବିଶ୍ୱସ୍ତରୀୟ ଇକୋ–ଟୁରିଜିମ ହବ୍ରେ ପରିଣତ କରିବାକୁ ରାଜ୍ୟ ସରକାର ଏକ ବଡ଼ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ପ୍ରାୟ ୯୯ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ପ୍ରକଳ୍ପ ରୂପାୟଣ ହେବାକୁ ଯାଉଛି।ସାତକୋଶିଆ ଡିଏଫଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି ଯେ, ଏହି ବିଶେଷ ପ୍ରକଳ୍ପର ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁରି ପାଇଛି।
ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାତକୋଶିଆର ପର୍ଯ୍ୟଟନ ମାନଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଦେଶ–ବିଦେଶର ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ।ଏହି ଯୋଜନା ଅନୁସାରେ ଅଭୟାରଣ୍ୟର ମୁଖ୍ୟ ୬ଟି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକାଶ କରାଯିବ। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡାରେ ନୂଆ ପ୍ରବେଶ ପଥ ତିଆରି ହେବ। ସେହିପରି ମହାନଦୀ ବନଖଣ୍ଡର ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆ ଅଞ୍ଚଳରେ ମଧ୍ୟ ନୂଆ ପ୍ରବେଶ ଦ୍ୱାର ନିର୍ମାଣ କରାଯିବ। ଏହା ଫଳରେ ପର୍ଯ୍ୟଟକମାନେ ସହଜରେ ଅଭୟାରଣ୍ୟର ବିଭିନ୍ନ ସ୍ଥାନକୁ ପହଞ୍ଚିପାରିବେ। ପ୍ରକଳ୍ପ ଅନ୍ତର୍ଗତ ଅତ୍ୟାଧୁନିକ ପର୍ଯ୍ୟଟନ ଢାଞ୍ଚା ତିଆରି ହେବ। ଏଠାରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍ ସ୍ପଟ, ୱାଚ୍ ଟାୱାର ଓ ରିଭର ଭିୟୁ ଡେକ୍ ପରି ବ୍ୟବସ୍ଥା ରହିବ। ଏହା ସହ ପର୍ଯ୍ୟଟକମାନେ ସାତକୋଶିଆର ପ୍ରାକୃତିକ ସୌନ୍ଦର୍ୟ, ଜଙ୍ଗଲ, ବନ୍ୟପ୍ରାଣୀ ଓ ମହାନଦୀର ଦୃଶ୍ୟକୁ ଅଧିକ ନିକଟରୁ ଉପଭୋଗ କରିପାରିବେ।
ତଥାପି, ପରିବେଶବିତ୍ମାନେ ସଚେତନ କରାଇଛନ୍ତି ଯେ, ବିକାଶ ସହିତ ସାଥି ସାତକୋଶିଆର ପ୍ରାକୃତିକ ସନ୍ତୁଳନ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବା ଅତ୍ୟନ୍ତ ଆବଶ୍ୟକ। ଆଠମଲ୍ଲିକ ବିଧାୟକ ମଧ୍ୟ କହିଛନ୍ତି ଯେ, ଏହି ପ୍ରକଳ୍ପ ରୂପାୟଣ ସମୟରେ ଅଞ୍ଚଳବାସୀଙ୍କ ଜୀବିକା ଓ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଉ।ସରକାରୀ ଯୋଜନା ଓ ସଠିକ୍ ପରିଚାଳନା ସହ ଏହି ପ୍ରକଳ୍ପ ସଫଳ ହେଲେ, ସାତକୋଶିଆ କେବଳ ଓଡ଼ିଶାର ନୁହେଁ, ସମଗ୍ର ଦେଶର ଏକ ନମ୍ବର ଇକୋ–ଟୁରିଜିମ ଗନ୍ତବ୍ୟ ଭାବରେ ପରିଚିତ ହେବ ଏବଂ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ।

