Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ (ୟୁନିଫର୍ମ) ବଣ୍ଟନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି କି ନାହିଁ, ସେ ନେଇ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) କଡା ନିର୍ଦ୍ଦେଶ ଜାରି କରିଛି। ଏନେଇ OSEPA ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଏକ ‘ଅତ୍ୟନ୍ତ ଜରୁରୀ’ ଚିଠି ପଠାଯାଇଛି।

OSEPAର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ଦ୍ୱାରା ଜାରି ହୋଇଥିବା ଚିଠି (ନଂ–୧୮୫୭) ଅନୁଯାୟୀ, ସମଗ୍ର ଶିକ୍ଷା, PM SHRI, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ (ଶିଶୁ ବାଟିକା ବ୍ୟତୀତ) ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ବଣ୍ଟନ କରାଯାଉଛି। OSEPA ସ୍ପଷ୍ଟ କରିଛି ଯେ, ଏହି ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଅର୍ଥାତ୍ ୧୦୦ ପ୍ରତିଶତ ଶେଷ ହୋଇଛି କି ନାହିଁ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ ‘କମ୍ପ୍ଲିସନ୍ ସାର୍ଟିଫିକେଟ୍’ (Completion Certificate) ଦାଖଲ କରିବାକୁ ପଡ଼ିବ। ଏହି ସାର୍ଟିଫିକେଟ୍ ଦାଖଲ କରିବା ପାଇଁ ଆସନ୍ତା ୭ ଫେବୃଆରୀ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି।

ବିଭାଗ ପକ୍ଷରୁ ସଚେତନ କରାଯାଇଛି ଯେ, ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୌଣସି ଜିଲ୍ଲାରୁ ରିପୋର୍ଟ ନ ଆସେ, ତେବେ ସେଥିକୁ ଗୁରୁତର ଭାବରେ ନିଆଯିବ ଏବଂ ଆବଶ୍ୟକ ହେଲେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ।ଶିକ୍ଷା ବିଭାଗର ଏହି କଡା ନିର୍ଦ୍ଦେଶ ପଛରେ ଲକ୍ଷ୍ୟ ହେଉଛି ରାଜ୍ୟର କୌଣସି ଛାତ୍ରଛାତ୍ରୀ ମାଗଣା ୟୁନିଫର୍ମରୁ ବଞ୍ଚିତ ନ ହେଉ। ସମୟରେ ସଠିକ୍ ରିପୋର୍ଟ ଆସିଲେ ଯୋଜନାର ସଫଳ ରୂପାୟଣ ସୁନିଶ୍ଚିତ ହେବା ସହ ସ୍କୁଲ ଶିକ୍ଷା ପ୍ରଣାଳୀର ପାରଦର୍ଶିତା ଓ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବ।

Leave a Reply

Your email address will not be published. Required fields are marked *