ନ୍ୟୁଜ ଡେକ୍ସ : ଓଡ଼ିଶାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଆଜିବି ବ୍ରିଟିଶ ଶାସନର ଛାପ ସ୍ପଷ୍ଟ ଭାବେ ଦେଖାଯାଉଛି। ‘ଇଂଲିଶ ବିଭାଗ’ କିମ୍ବା ‘ଇଂଲିଶ ସେକ୍ସନ’ ନାମରେ ଏବେବି ଅନେକ ବିଭାଗ ପ୍ରଚଳିତ ରହିଛି, ଯାହା ସ୍ୱାଧୀନତା ପରବର୍ତ୍ତୀ ଭାରତରେ ମଧ୍ୟ ଇଂରେଜୀ ଶାସନର ମନୋଭାବକୁ ଉଜାଗର କରୁଛି।ବ୍ରିଟିଶ ଶାସନ ସମୟରେ ଯେଉଁ କିରାଣୀମାନେ ଇଂରାଜୀ ଜାଣୁଥିଲେ, ସେମାନଙ୍କୁ ‘ଇଂଲିଶ କ୍ଲାର୍କ’ ବୋଲି ଡାକାଯାଉଥିଲା।
ସେମାନଙ୍କ ଦ୍ୱାରା ଚାଲୁଥିବା କାର୍ଯ୍ୟାଳୟକୁ ‘ଇଂଲିଶ ବିଭାଗ’ ନାମ ଦିଆଯାଇଥିଲା। ସେହି ପରମ୍ପରା ଆଜି ଯାଏଁ ଚାଲିଆସୁଛି, ଯାହା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ହୋଇଛି।ବର୍ତ୍ତମାନ ସରକାର ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ଓ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ନେଇଆସୁଛନ୍ତି। ସରକାରୀ ଚିଠିପତ୍ର ଓଡ଼ିଆରେ ଲେଖିବା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ, ଏବଂ ଓଡ଼ିଆ ଭାଷାକୁ ପ୍ରାଥମିକତା ଦେବା ନେଇ ନିୟମିତ ବିଜ୍ଞପ୍ତି ଜାରି କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ‘ଇଂଲିଶ ବିଭାଗ’ ଭଳି ନାମଗୁଡ଼ିକୁ ନେଇ ସରକାରଙ୍କ ଦୃଷ୍ଟି ପଡ଼ୁନଥିବା ନେଇ ପ୍ରଶ୍ନ ଉଠୁଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ‘ଇଂଲିଶ ସେକ୍ସନ’ ନାମରେ ଏକ ବିଭାଗ ଥିବା ଦେଖାଯାଇଛି।
ଏହି ବିଭାଗ ପ୍ରତିଷ୍ଠାନ ବିଭାଗ ସହିତ ସମ୍ପର୍କିତ କାମ କରୁଥିଲେ ମଧ୍ୟ, ଏହାର ନାମକରଣ ଇଂରେଜୀ ଶାସନ ଶୈଳୀରେ ରହିଛି। କେବଳ ଗଜପତି ନୁହେଁ, ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏଭଳି ‘ଇଂଲିଶ ସେକ୍ସନ’ ରହିଥିବା ଜଣାପଡ଼ୁଛି।ଏକ ପକ୍ଷରେ ସହର ଓ ଗ୍ରାମର ନାମ ଓଡ଼ିଆ ଅସ୍ମିତା ଆଧାରରେ ପରିବର୍ତ୍ତନ ହେଉଛି, ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟରେ ଇଂରେଜୀ ଶାସନର ଚିହ୍ନ ଥିବା ନାମଗୁଡ଼ିକ ଅବିକଳ ରହିବା ଏକ ବିରୋଧାଭାସ ସୃଷ୍ଟି କରୁଛି।
ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଯଦି ଆମ ପ୍ରଶାସନିକ ବ୍ୟବସ୍ଥାରେ ଇଂରେଜୀ ଶାସନର ମନୋଭାବ ଅଟୁଟ ରହିଛି, ତେବେ ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ସରକାରୀ ଘୋଷଣା କେବଳ କାଗଜରେ ରହିଯିବ କି ନାହିଁ ସେଇ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠୁଛି।ସମସ୍ତଙ୍କ ନଜର ଏବେ ସରକାରଙ୍କ ଉପରେ କେବେ ଏହି ‘ଇଂଲିଶ ବିଭାଗ’ ଭଳି ନାମଗୁଡ଼ିକୁ ପରିବର୍ତ୍ତନ କରି ସତ୍ୟରେ ଓଡ଼ିଆ ଅସ୍ମିତାକୁ ସରକାରୀ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିଆଯିବ।

