ନ୍ୟୁଜ ଡେକ୍ସ : ରାଜ୍ୟରେ ଚଳିତ ବର୍ଷ ହେବାକୁ ଯାଉଥିବା ବାର୍ଷିକ ପରୀକ୍ଷାଗୁଡ଼ିକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସରକାର ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଆସନ୍ତା ଫେବୃଆରୀ ୧୮ ତାରିଖରୁ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆରମ୍ଭ ହେବା ସହ, ଫେବୃଆରୀ ୧୯ ତାରିଖରୁ ବାର୍ଷିକ ମାଧ୍ୟମିକ, ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (HSC) ଏବଂ ମଧ୍ୟମା ପରୀକ୍ଷା ଆରମ୍ଭ ହେବ।
ଏହି ପରୀକ୍ଷାଗୁଡ଼ିକର ସୁଚାରୁ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଯୋଗ ଦେଇଥିଲେ।ମୁଖ୍ୟ ଶାସନ ସଚିବ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ଗାଇଡଲାଇନ୍ ଓ ନିୟମକୁ କଡାକଡି ପାଳନ କରିବାକୁ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡଃ. ଏନ୍. ତିରୁମାଳା ନାଏକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା, ଉପ ଶାସନ ସଚିବ ଯଶବନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଅମୁଲ୍ୟ କୁମାର ପ୍ରଧାନ ଓ ପରୀକ୍ଷା ନିୟନ୍ତ୍ରକ ଚକ୍ରଧର ବେହେରା ମଧ୍ୟ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ରଖିଥିଲେ।ପରୀକ୍ଷା ସମୟରେ ସମସ୍ତ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯଦି କେହି ଏହି ନିୟମ ଉଲଙ୍ଘନ କରନ୍ତି, ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।
ମୁଖ୍ୟ ସଚିବ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ନୋଡାଲ ଅଧିକାରୀମାନଙ୍କ ପାଖରେ ପରୀକ୍ଷା ପରିଚାଳନା ମାର୍ଗଦର୍ଶିକା ଥିବା ଅତ୍ୟାବଶ୍ୟକ ଓ ସେହି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବ। ରାଜ୍ୟ ସରକାରଙ୍କ ଏହି କଡା ପଦକ୍ଷେପ ଦ୍ୱାରା ଚଳିତ ବର୍ଷର ପରୀକ୍ଷାଗୁଡ଼ିକୁ ସୁଚାରୁ, ପାରଦର୍ଶୀ ଓ ନିର୍ଭୟ ଭାବରେ ପରିଚାଳନା କରାଯିବ ବୋଲି ଆଶା କରାଯାଉଛି, ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ।

