ନ୍ୟୁଜ ଡେକ୍ସ : ରାଜ୍ୟ ରାଜନୀତିରେ ଏକ ବଡ଼ ଓ ଅପେକ୍ଷାତୀତ ଘଟଣା ଘଟିଛି। ଖଣିମନ୍ତ୍ରୀ ବିଭୂତି ଜେନା ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ଆଉ କେବେ ନିର୍ବାଚନ ଲଢ଼ିବେନି। ତାଙ୍କର ଏହି ଘୋଷଣା ପରେ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଓ ଅଟକଳର ଦୃତ ତରଙ୍ଗ ଦେଖାଦେଇଛି।ଗଣମାଧ୍ୟମକୁ ସମ୍ବୋଧନ କରି ଖଣିମନ୍ତ୍ରୀ ବିଭୂତି ଜେନା କହିଛନ୍ତି, “ମୁଁ ନିଜେ ଆଉ ନିର୍ବାଚନ ଲଢ଼ିବାକୁ ଚାହୁଁନି।
ମୋର ମନେ ହେଉଛି ଏବେ ଯୁବପିଢ଼ୀଙ୍କୁ ଆଗକୁ ଆଣିବାର ସମୟ ଆସିଛି। ଆସନ୍ତା ବର୍ଷ ମୋର ୬୦ ବର୍ଷ ପୂରଣ ହେବ, ଦେଶ ଓ ଦଳରେ ଏବେ ଯୁବ ନେତୃତ୍ୱ ଆବଶ୍ୟକ।”ସେ ଆହୁରି କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ୪୫ ବର୍ଷର ଯୁବ ନେତା ହେବାରୁ ଏହା ଏକ ସ୍ପଷ୍ଟ ସନ୍ଦେଶ ଯେ ଦଳ ଯୁବଶକ୍ତିକୁ ଗୁରୁତ୍ୱ ଦେଉଛି। “ଏହି ପରିବର୍ତ୍ତନରେ ମୁଁ ନିଜେ ଆଗେଇ ଆସି ଏକ ଉଦାହରଣ ସ୍ଥାପନ କରିବାକୁ ଚାହୁଁଛି,” ବୋଲି ସେ କହିଛନ୍ତି।ତଥାପି, ଖଣିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସେ ଦଳକୁ କେବେ ଛାଡ଼ିବେନି। “ଦଳ ଯେଉଁ ଦାୟିତ୍ୱ ଦେବ, ମୁଁ ସେଥିରେ ସମ୍ପୂର୍ଣ୍ଣ ନିଷ୍ଠା ଓ ସତତା ସହ କାମ କରିବି। ନିର୍ବାଚନ ଲଢ଼ିବି ନାହିଁ ବୋଲି ମୁଁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଛି,” ବୋଲି ସେ କହିଛନ୍ତି।
ବିଭୂତି ଜେନାଙ୍କ ଏହି ଘୋଷଣା ଦଳ ଭିତରେ ଓ ବାହାରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି। କେହି ଏହାକୁ ଯୁବ ନେତୃତ୍ୱକୁ ସୁଯୋଗ ଦେବାର ଏକ ଦୂରଦର୍ଶୀ ନିଷ୍ପତ୍ତି ବୋଲି ଦେଖୁଛନ୍ତି, ତ ଅନ୍ୟ କେହି ଏହା ପଛରେ ଅନ୍ୟ କୌଣସି ରାଜନୈତିକ କାରଣ ଥାଇପାରେ ବୋଲି ଅଟକଳ ଲଗାଉଛନ୍ତି।ଯାହାହେଉ, ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଏହି ବଡ଼ ନିଷ୍ପତ୍ତି ରାଜ୍ୟର ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିପାରେ ବୋଲି ଧରାଯାଉଛି।

