ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ସୁରକ୍ଷାକୁ ନେଇ ଗଭୀର ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିର ଭିତରେ ମୋବାଇଲ ଫୋନ, କ୍ୟାମେରା ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ନେଇ ଫଟୋ ଓ ଭିଡିଓ ତୁଳିବା ଘଟଣା ଥମିବାର ନାଁ ନେଉନାହିଁ। ଶନିବାର ଦିନ ଏକ ଗମ୍ଭୀର ଘଟଣାରେ ଜଣେ ଭକ୍ତ କ୍ୟାମେରାଯୁକ୍ତ ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ସନ୍ଦେହ ହେବାରୁ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ଯୁବକଜଣଙ୍କ ଚଷମାରେ ଗୁପ୍ତ କ୍ୟାମେରା ଲଗାଯାଇଥିବା ପ୍ରମାଣିତ ହୋଇଥିଲା। ଅଭିଯୁକ୍ତଙ୍କ ପରିଚୟ ହେଉଛି ଝାଡ଼ଖଣ୍ଡର ହଜାରିବାଗ ଜିଲା ବାଦାମ ବଜାର ଅଞ୍ଚଳର ସାଗର ଖଣ୍ଡେଲୱାଲ। ତାଙ୍କ ନିକଟରୁ କ୍ୟାମେରାଯୁକ୍ତ ଚଷମା ଜବତ କରାଯିବା ସହ ଶ୍ରୀମନ୍ଦିର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଶତାଧିକ ପୁଲିସ ଓ ସୁରକ୍ଷା କର୍ମଚାରୀ ମନ୍ଦିର ଭିତରେ ଓ ବାହାରେ ମୁତୟନ ଥିଲେ ମଧ୍ୟ ଏଭଳି ଗୁପ୍ତ କ୍ୟାମେରା ଭିତରକୁ ପହଞ୍ଚିବା ନିଶ୍ଚୟ ଗମ୍ଭୀର ତ୍ରୁଟିକୁ ସୂଚିତ କରୁଛି ବୋଲି ଜଗନ୍ନାଥପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
ଭକ୍ତମାନଙ୍କ ଦାବି ଅନୁଯାୟୀ, ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ଅଧିକ କଡ଼ାକଡ଼ି ତଲାଶି, ଆଧୁନିକ ସ୍କ୍ୟାନର, ଏବଂ ପ୍ରଶିକ୍ଷିତ ସୁରକ୍ଷା କର୍ମଚାରୀ ନିଯୁକ୍ତି ଅତ୍ୟାବଶ୍ୟକ। ମନ୍ଦିରର ପବିତ୍ରତା, ଭକ୍ତଙ୍କ ଆସ୍ଥା ଓ ରାଷ୍ଟ୍ରୀୟ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତତ୍କାଳ କଠୋର ପଦକ୍ଷେପ ନେବାକୁ ସାଧାରଣ ଲୋକ ଓ ଜଗନ୍ନାଥପ୍ରେମୀମାନେ ଜୋରଦାର ଦାବି କରିଛନ୍ତି।

