Sat. Feb 21st, 2026

ନ୍ୟୁଜ ଡେକ୍ସ : ବାଲେଶ୍ବରର ଭୟଙ୍କର ଏସିଡ୍ ମାଡ଼ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚନ୍ଦନ ରଣାଙ୍କୁ ଶୁକ୍ରବାର ବାଲେଶ୍ବର ସ୍ବତନ୍ତ୍ର ଏସସି/ଏସଟି କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ସହ ଦୀର୍ଘ ସମୟ ଧରି ଚାଲିଥିବା ଏକ ହୃଦୟବିଦାରକ ଓ ଭୟଙ୍କର ମାମଲାର ଆଇନଗତ ପରିଣତି ହୋଇଛି।ଏହି ଘଟଣା ୨୦୨୩ ମସିହାରେ ବାଲେଶ୍ବର ଜିଲ୍ଲାର ସନ୍ଦରଗଡ଼ା ଅଞ୍ଚଳରେ ଘଟିଥିଲା।

ନୀଳଗିରି ଥାନା ଅଧୀନ ନୟାପାଟଣା ଗ୍ରାମର ଚନ୍ଦନ ରଣା ନିଜ ଦ୍ୱିତୀୟ ସ୍ତ୍ରୀ ବନିତା ସିଂ ଓ ତାଙ୍କ ସହିତ ଥିବା ୪ ଜଣ ନିର୍ଦ୍ଦୋଷ ଶିଶୁଙ୍କ ଉପରେ ଏସିଡ୍ ଛିଟାଇ ନିର୍ମମ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବନିତା ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଶିଶୁ ଗୁରୁତର ଆହତ ହୋଇ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ରହିଥିଲେ।ମାମଲାର ତଦନ୍ତ ପରେ ପୋଲିସ୍ ଚନ୍ଦନ ରଣାଙ୍କୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା, ଚେଷ୍ଟାପୂର୍ଣ୍ଣ ହତ୍ୟା ଓ ଏସିଡ୍ ଆକ୍ରମଣ ସମ୍ପର୍କିତ ଧାରାରେ ଚାର୍ଜଶିଟ୍ ଦାଖଲ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଳତ ସମ୍ମୁଖରେ ୩୪ ଜଣ ସାକ୍ଷୀଙ୍କ ଜବାନବନ୍ଦୀ, ୧୧୦ଟି ଦସ୍ତାବିଜ ଓ ୩୩ଟି ମେଟେରିଆଲ ଅବଜେକ୍ଟ ପ୍ରଦର୍ଶିତ କରାଯାଇଥିଲା।

ଏହି ସମସ୍ତ ପ୍ରମାଣକୁ ଆଧାର କରି ଅଦାଳତ ଚନ୍ଦନ ରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁକ୍ରବାର ରାୟ ପ୍ରକାଶ କରି ଜଜ କହିଥିଲେ ଯେ, ଏହି ମାମଲା ଅତ୍ୟନ୍ତ ନିର୍ମମ ଓ ମାନବତା ବିରୋଧୀ ଅପରାଧ ଥିବାରୁ ସର୍ବୋଚ୍ଚ ଦଣ୍ଡ ଦେବା ଆବଶ୍ୟକ। ଏହି କାରଣରୁ ଚନ୍ଦନ ରଣାଙ୍କୁ ଫାଶୀଦଣ୍ଡାଦେଶ ଶୁଣାଯାଇଛି।ଏହି ରାୟ ପରେ ପୀଡିତ ପରିବାର ସହ ଅଞ୍ଚଳବାସୀ କିଛି ମାତ୍ରାରେ ନ୍ୟାୟ ମିଳିଥିବା ଭାବନା କରୁଛନ୍ତି। ସେଥିପାଇଁ ଏହି ମାମଲା ସମାଜରେ ଏସିଡ୍ ଆକ୍ରମଣ ଭଳି ଘୃଣିତ ଅପରାଧ ବିରୋଧରେ ଏକ କଡା ସନ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *