Wed. Jun 3rd, 2026

ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗିରିମା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଦାଦା ବଟି ନଦେବାରୁ ଜଣେ ଜମି ବ୍ୟବସାୟୀଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁଇ ଦୁର୍ବୃତ୍ତ। ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜମି ବ୍ୟବସାୟୀ ଚଗଲା ମଲ୍ଲିକ। ତାଙ୍କ ହାତରେ ଭୁଜାଲି ଚୋଟ ଲାଗିଥିବା ବେଳେ ହାତ ପାପୁଲି ଗୁରୁତର ଭାବେ କ୍ଷତବିକ୍ଷତ ହୋଇଛି ଏବଂ ବୁଢ଼ା ଆଙ୍ଗୁଠି ଛିଣ୍ଡି ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କାଲି ବିଳମ୍ବିତ ରାତିରେ ଏହି ଆକ୍ରମଣ ଘଟିଥିଲା। କିଛି ଦିନ ତଳେ ଦୁଇ ଜଣ ଦୁର୍ବୃତ୍ତ ଚଗଲାଙ୍କ ନିକଟରୁ ଦାଦା ବଟି ମାଗିଥିଲେ। ହେଲେ ଚଗଲା ସେମାନଙ୍କୁ ସିଧାସଳଖ ବଟି ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଦୁର୍ବୃତ୍ତମାନେ ରାଗିଯାଇ ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିବା କୁହାଯାଉଛି।ଚଗଲା ରାତିରେ ଘରକୁ ଫେରୁଥିବା ସମୟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ଚଗଲା ପ୍ରତିରୋଧ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣିଥିଲେ।

ଆକ୍ରମଣରେ ତାଙ୍କ ବେକ ଓ ପିଠିରେ ମଧ୍ୟ ଗଭୀର ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ଚଗଲା ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।ଘଟଣାର ଖବର ପାଇ ଗୋପ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଦାଦା ବଟିକୁ କେନ୍ଦ୍ର କରି ଏଭଳି ରକ୍ତାକ୍ତ ଆକ୍ରମଣ ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *