Wed. Jun 3rd, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତା ବର୍ବରତା ଘଟଣାରେ ପଲିଗ୍ରାଫ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ହାତକୁ ଆସିଛି । ଏହି ରିପୋର୍ଟରେ ସୌମ୍ୟ ରଞ୍ଜନଙ୍କ ବନ୍ଧୁ ଓମ୍ ପ୍ରକାଶ ଏବଂ ପୀଡ଼ିତାଙ୍କ ବୟାନରେ ଅନେକ ଅସଙ୍ଗତି ଥିବା ଜଣାପଡ଼ିଛି । ପଲିଗ୍ରାଫ ଟେଷ୍ଟ ସମୟରେ ଦୁହେଁ ଅଧାରୁ ଅଧିକ ପ୍ରଶ୍ନରେ ମିଛ ଉତ୍ତର ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।କ୍ରାଇମବ୍ରାଞ୍ଚ ପକ୍ଷରୁ ୨୩୦ରୁ ଅଧିକ ପ୍ରଶ୍ନକୁ ନେଇ ଏହି ପଲିଗ୍ରାଫ ଟେଷ୍ଟ କରାଯାଇଥିଲା ।

ଗତ ଶନିବାର ଓ ରବିବାର ଷ୍ଟେଟ ଫରେନସିକ ଲ୍ୟାବରେ ଏହି ପରୀକ୍ଷା ହୋଇଥିଲା । ହେଲେ ଟେଷ୍ଟ ରିପୋର୍ଟରେ ଅଧିକାଂଶ ଉତ୍ତର ଭୁଲ୍ କିମ୍ବା ମିଛ ଥିବା ଜଣାପଡ଼ିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ିଛି ।ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ପୀଡ଼ିତା ଓ ଓମ୍ ପ୍ରକାଶଙ୍କ ବୟାନକୁ ପୁଣି ଥରେ ଖତିଆନ କରୁଛି । ଘଟଣା ସମ୍ପର୍କରେ ଓମ୍‌ଙ୍କୁ ଏକାଧିକ ଥର ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ସୌମ୍ୟ ରଞ୍ଜନଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମଧ୍ୟ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ସୌମ୍ୟଙ୍କ ବ୍ରେନ ଡେଡ ହୋଇଯାଇଥିଲା । ତାଙ୍କର ବ୍ଲଡ୍ ପ୍ରେସର ରେକର୍ଡ ହେଉନଥିଲା ଏବଂ ପଲ୍ସ ମଧ୍ୟ ମିଳୁନଥିଲା । ମୁଣ୍ଡରେ ଅତ୍ୟଧିକ ଆଘାତ ଲାଗିଥିବାରୁ ବ୍ରେନ ହାମରେଜ ହୋଇଥାଇପାରେ ବୋଲି ଡାକ୍ତର ସନ୍ଦେହ ପ୍ରକାଶ କରିଥିଲେ ।ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *