Wed. Jun 3rd, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତାରେ ଘଟିଥିବା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡକୁ ନେଇ ପୁଣି ତେଜିଛି ତଦନ୍ତ ପ୍ରକ୍ରିୟା। ମେ’ ୭ ତାରିଖରେ ଘଟିଥିବା ଏହି ନିର୍ମମ ଲିଞ୍ଚିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଆଉ ଦୁଇ ମୁଖ୍ୟ ଅଭିଯୁକ୍ତ। ଏହା ସହ ମୋଟ ଗିରଫ ସଂଖ୍ୟା ୧୫ରେ ପହଞ୍ଚିଛି।ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ପଞ୍ଚାନନ ବଡ଼ଜେନା ଓରଫ ‘କାଳିଆ’ ଏବଂ ରଞ୍ଜିତ ରଣା।

ତଦନ୍ତକାରୀ ଅଧିକାରୀମାନଙ୍କ ହାତକୁ ଲାଗିଥିବା ପ୍ରମାଣ ଆଧାରରେ ନୟାଗଡ଼ର ରଣପୁର ଜଙ୍ଗଲ ଅଞ୍ଚଳରୁ ଉଭୟଙ୍କୁ କାବୁ କରାଯାଇଛି। କ୍ରାଇମବ୍ରାଞ୍ଚ ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ ଏହି ଦୁଇଜଣଙ୍କ ସିଧାସଳଖ ସଂପୃକ୍ତି ଥିବା ସ୍ପଷ୍ଟ ହୋଇଛି।ଏହାପୂର୍ବରୁ ସ୍ଥାନୀୟ ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିଲା। ପରେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ତଦନ୍ତ ଯେତେ ଆଗକୁ ବଢ଼ୁଛି, ଘଟଣା ପଛରେ ଥିବା ଚାଞ୍ଚଲ୍ୟକର ତଥ୍ୟ ସେତେ ସାମ୍ନାକୁ ଆସୁଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପୂର୍ବରୁ କହିଥିଲେ ଯେ, ଏହି ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ। ବର୍ତ୍ତମାନ ଆଉ କେହି ଏହି ଘଟଣାରେ ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *