Wed. Jun 3rd, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଏବେ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ସମ୍ପୃକ୍ତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। ତଦନ୍ତ ଯେତେ ଜୋରଦାର ହେଉଛି, ସେତେଇ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢୁଥିବା ଦେଖିବାକୁ ମିଳିଛି। ଅନେକ ଅଭିଯୁକ୍ତଙ୍କ ଘରେ ତାଲା ପଡିଥିବାବେଳେ ସେମାନଙ୍କ ମୋବାଇଲ୍‌ ମଧ୍ୟ ସ୍ୱିଚ୍‌ ଅଫ୍‌ ରହିଛି।

ଗାଁରେ ଅନେକ ଚିହ୍ନଟ ବ୍ୟକ୍ତି ନଥିବାରୁ ଏବେ ତଦନ୍ତକାରୀ ଟିମ୍‌ ପାଇଁ ଏହା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଟିମ୍ ଘଟଣାରେ ସଂପୃକ୍ତ ଥିବା ଅନେକ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି। ଏହାପରେ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଘନଘନ ଚଢାଉ ଚାଲିଛି। ବାଲିଅନ୍ତା ସହ ଆଖପାଖ ଅଞ୍ଚଳରେ ଅଭିଯୁକ୍ତଙ୍କ ଘର, ସମ୍ପର୍କୀୟଙ୍କ ବାସଭବନ ଓ ସମ୍ଭାବ୍ୟ ଲୁଚିବା ସ୍ଥାନଗୁଡିକୁ ଟାର୍ଗେଟ କରି ଚଢ଼ାଉ କରାଯାଉଛି। ତେବେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିବା ପୂର୍ବରୁ ଅନେକ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। କିଛି ଜଣ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ସନ୍ଦେହ କରାଯାଉଥିବାବେଳେ ଆଉ କିଛି ଅଭିଯୁକ୍ତ ରାଜ୍ୟ ବାହାରକୁ ପଳାଇଥିବା ଆଶଙ୍କା ମଧ୍ୟ କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଏବେ ଅଭିଯୁକ୍ତମାନଙ୍କ ମୋବାଇଲ୍ ଲୋକେସନ୍, କଲ୍ ଡିଟେଲ୍ସ ଓ ସମ୍ପର୍କୀୟ ନେଟୱର୍କ ଉପରେ କଡ଼ା ନଜର ରଖିଛି।ଅନ୍ୟପଟେ ଗିରଫଦାରୀ ଭୟରେ କିଛି ଅଭିଯୁକ୍ତ ଆଗୁଆ ଜାମିନ୍ ପାଇଁ ଆଇନଗତ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ୱ ସହ ନେଇଥିବାବେଳେ ଘଟଣା ପଛରେ ଥିବା ସମସ୍ତ ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଧରିବା ପାଇଁ ତଦନ୍ତକୁ ତୀବ୍ର କରିଛି। ହତ୍ୟାକାଣ୍ଡର ଯୋଜନା କିପରି ହୋଇଥିଲା, କିଏ କିଏ ଏଥିରେ ସମ୍ପୃକ୍ତ ଥିଲେ ଓ କାହାର କଣ ଭୂମିକା ରହିଥିଲା ସେସବୁ ଦିଗକୁ ନେଇ ଖୋଳତାଡ଼ ଚାଲିଛି।କ୍ରାଇମବ୍ରାଞ୍ଚ ଡିଜିଙ୍କ କଡ଼ା ଚେତାବନୀ ପରେ ମାମଲାର ଗୁରୁତ୍ୱ ଆହୁରି ବଢିଯାଇଛି। ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ କୌଣସି ପରିସ୍ଥିତିରେ ଛାଡ଼ାଯିବ ନାହିଁ। ତେଣୁ ଅଭିଯୁକ୍ତମାନଙ୍କ ପାଇଁ ଏବେ ଲୁଚିବାର ରାସ୍ତା ଧୀରେ ଧୀରେ ବନ୍ଦ ହେଉଥିବା କୁହାଯାଉଛି।

ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ସୋମ୍ୟଙ୍କ ପରିବାର ନ୍ୟାୟ ଆଶାରେ ଅପେକ୍ଷା କରିଥିବାବେଳେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ହତ୍ୟାକାଣ୍ଡର ମୂଳ ଷଡ଼ଯନ୍ତ୍ରକାରୀ କିଏ, କାହିଁକି ସୋମ୍ୟଙ୍କୁ ଟାର୍ଗେଟ କରାଗଲା ଏବଂ ପୂରା ଘଟଣାର ସତ୍ୟ କେବେ ସାମ୍ନାକୁ ଆସିବ, ତାହାକୁ ନେଇ ସମସ୍ତଙ୍କ ନଜର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରହିଛି।

Leave a Reply

Your email address will not be published. Required fields are marked *