ନ୍ୟୁଜ ଡେକ୍ସ : ରାଜ୍ୟରେ ମହିଳା ସୁରକ୍ଷା ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି। ୨୦୨୫ ବର୍ଷରେ ମହିଳା ଓ ଯୁବତୀଙ୍କ ଉପରେ ହୋଇଥିବା ଅପରାଧ ସଂପର୍କିତ ଚମକଦାର ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।ସରକାରଙ୍କ ତଥ୍ୟ ଅନୁସାରେ, ଗତ ବର୍ଷ ରାଜ୍ୟରେ ମୋଟ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି।
ସେଥିରୁ ୨୯୯୬ ଜଣ ଦୁଷ୍କର୍ମ ଓ ୧୧୫ ଜଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ଜଣାପଡିଛି। ଏହା ସହିତ ୭ ହଜାର ୩୮୨ ଜଣ ଅସଦାଚରଣର ଶିକାର ହୋଇଥିବା ବେଳେ ୭୦୨ ଜଣଙ୍କ ସହ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ମାମଲା ରୁଜୁ ହୋଇଛି।ତଥ୍ୟରେ ଆହୁରି ଉଲ୍ଲେଖ ଅଛି ଯେ ୭୫୭ ଜଣଙ୍କୁ ନିର୍ଯାତନା ଦିଆଯାଇଥିବା ବେଳେ ୧୨୭ ଜଣଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ କରି ମାନସିକ ନିର୍ଯାତନା ଦିଆଯାଇଛି। ଏହା ସହିତ ୭୩୭୮ ଜଣ ଯୁବତୀ ଓ ମହିଳାଙ୍କୁ ଅପହରଣ କରାଯାଇଥିବା ତଥ୍ୟ ସରକାର ଦେଇଛନ୍ତି। ମାନବ ଚାଲାଣ ସମ୍ପର୍କିତ ୧୧୧ଟି ମାମଲା ରିପୋର୍ଟ ହୋଇଛି। ଯୌତୁକ ନିମନ୍ତେ ୧୪୫ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ୭୭ ଜଣ ଆତ୍ମହତ୍ୟା କରିଥିବା ତଥ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି।
ସର୍ବସାଧାରଣ ସ୍ଥାନରେ ୧୪୪୮ ଜଣ ମହିଳା ଦୁର୍ବ୍ୟବହାରର ଶିକାର ହୋଇଥିବା ବେଳେ ୪୩୬୧ ଜଣ ଘରୋଇ ଓ ଅନ୍ୟାନ୍ୟ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି।ଏହାଛଡ଼ା ଜଣେ ମହିଳାଙ୍କୁ ଏସିଡ୍ ମାଡ଼ ଘଟଣା ମଧ୍ୟ ରିପୋର୍ଟ ହୋଇଛି। ଅନ୍ୟ କାରଣରୁ ୫୪୧୯ ଜଣ ମହିଳା ନିର୍ଯାତନାର ଶିକାର ହୋଇଥିବା ତଥ୍ୟ ରାଜ୍ୟରେ ମହିଳା ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।ଏହି ପରିସ୍ଥିତି ନେଇ ବିଧାନସଭାରେ ଚର୍ଚ୍ଚା ତିବ୍ର ହୋଇଥିବା ବେଳେ ବିପକ୍ଷ ଦଳ ସରକାରଙ୍କୁ କଟାକ୍ଷ କରିଛି। ମହିଳା ସୁରକ୍ଷା ପାଇଁ କଡା ପଦକ୍ଷେପ ନେବାକୁ ଦାବି ଜୋରଦାର ହୋଇଛି।

