ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ଦେଶରେ ମହିଳା ସ୍ୱାସ୍ଥ୍ୟ ସୁଦୃଢ଼ କରିବାକୁ ବଡ଼ ପଦକ୍ଷେପ ନେଇ ଖୁବ୍ ଶୀଘ୍ର ଏଚ୍ପିଭି (ହ୍ୟୁମାନ୍ ପାପିଲୋମାଭାଇରସ୍) ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଏହାର ଲକ୍ଷ୍ୟ ସମୟରେ ଝିଅମାନଙ୍କୁ ସର୍ଭାଇକାଲ୍ କର୍କଟରୁ ସୁରକ୍ଷା ଦେବା।
ଓଡ଼ିଶାରେ ମଧ୍ୟ କିଶୋରୀ ଓ ମହିଳାଙ୍କ ପାଇଁ ବଡ଼ ଆଶ୍ୱସ୍ତି ମିଳିଛି। ବ୍ୟୟବହୁଳ ଏହି ଟୀକା ସମସ୍ତଙ୍କୁ ମାଗଣା ଭାବେ ପ୍ରଦାନ କରାଯିବ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଏହି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଓ ଏକ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ ପାଇଁ ପ୍ରଶିକ୍ଷଣ ଦିଆଯାଇଛି ଓ କେନ୍ଦ୍ର ସରକାର ଟୀକା ପଠାଇଦେଇଛନ୍ତି। ଦୁଇ ଦିନ ମଧ୍ୟରେ ଏହା ଓଡ଼ିଶାରେ ପହଞ୍ଚିବ ବୋଲି ସୂଚନା ମିଳିଛି।ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ କିଶୋରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରଥମେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଟୀକା ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କୁ ଟୀକା ଦିଆଯିବ। ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ଏହି ଟୀକାର ଦୁଇଟି ଡୋଜ୍ ନିଆଯିବା ଆବଶ୍ୟକ। ପ୍ରଥମ ଡୋଜ୍ ପରେ ୬ରୁ ୧୨ ମାସ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପରାମର୍ଶ ଦିଆଯାଇଛି।ରାଜ୍ୟରେ ଦିନକୁ ଦିନ ଜରାୟୁ କର୍କଟ ରୋଗ ବୃଦ୍ଧି ପାଉଥିବାରୁ ଏହି ଟୀକାକରଣ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଦୀର୍ଘ ସମୟ ଧରି ହାଇରିସ୍କ ଏଚ୍ପିଭି ସଂକ୍ରମଣ ପରେ ଜରାୟୁ କର୍କଟ ସୃଷ୍ଟି ହୁଏ। ପ୍ରାୟ ୯୦ ପ୍ରତିଶତ ଜରାୟୁ କର୍କଟ ଏଚ୍ପିଭି ଭାଇରସ ଦ୍ୱାରା ହୋଇଥାଏ।
ବିଶେଷତଃ ଏଚ୍ପିଭି ଟାଇପ୍ ୧୬ ଓ ୧୮ ଯୌନ ସଂକ୍ରମଣ ମାଧ୍ୟମରେ ବ୍ୟାପିଥାଏ।ଗୋଷ୍ଠୀସ୍ତରରେ ଏଚ୍ପିଭି ସଂକ୍ରମଣର ପରିମାଣ ଜାଣିବା ପାଇଁ କଟକ ଓ ଭୁବନେଶ୍ୱରରେ ତୃତୀୟ ପକ୍ଷ ଦ୍ୱାରା ସର୍ଭେ କରିବା ନିଷ୍ପତ୍ତି ହୋଇଛି। ପ୍ରାୟ ୫ ହଜାର ମହିଳାଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରହିଛି। ଏହି ଅଭିଯାନ ମହିଳା ସ୍ୱାସ୍ଥ୍ୟ ସୁରକ୍ଷାରେ ଏକ ମାଇଲସ୍ଟୋନ୍ ସାବିତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ବ୍ୟକ୍ତ କରିଛି।

