ନ୍ୟୁଜ ଡେକ୍ସ : ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଚାଲୁଥିବା ‘ଆମ ବସ୍’ ସେବାରେ ଆୟଠାରୁ ବ୍ୟୟ ପ୍ରାୟ ଦୁଇ ଗୁଣା ଅଧିକ ହେଉଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବସ୍ ଚଳାଚଳ ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କ୍ରୁଟ୍କୁ ୧,୧୧୯ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ଡିସେମ୍ବର ପର୍ଯ୍ୟନ୍ତ ‘ଆମ ବସ୍’ ଚଳାଚଳରୁ ୬୮୬ କୋଟି ୫୦ ଲକ୍ଷ ଟଙ୍କା ଆୟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ବ୍ୟୟ ୧,୦୫୯ କୋଟି ୫୨ ଲକ୍ଷ ଟଙ୍କାକୁ ପହଞ୍ଚିଛି। କୌଣସି ଏକ ବର୍ଷରେ ମଧ୍ୟ ବ୍ୟୟ ତୁଳନାରେ ଆୟ ଅଧିକ ହୋଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। ୨୦୧୮-୧୯ରେ ଆୟ ୩୮ କୋଟି ୨୫ ଲକ୍ଷ ଟଙ୍କା ଥିବାବେଳେ ବ୍ୟୟ ୫୦ କୋଟି ୯୨ ଲକ୍ଷ ଟଙ୍କା ଥିଲା। ଏହିପରି ୨୦୨୪-୨୫ରେ ଆୟ ୧୫୬ କୋଟି ୫୨ ଲକ୍ଷ ଟଙ୍କା ହୋଇଥିବାବେଳେ ବ୍ୟୟ ୨୬୫ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଭୁବନେଶ୍ୱର ପାଇଁ ପରିକଳ୍ପିତ ମେଟ୍ରୋ ରେଳ ପ୍ରକଳ୍ପ ଏବେ ବି ପରୀକ୍ଷାଧୀନ ଅବସ୍ଥାରେ ରହିଛି। ଭୁବନେଶ୍ୱର ବିମାନବନ୍ଦରରୁ କଟକ ଜିଲ୍ଲାର ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଦୂରତାରେ ଏହି ପ୍ରକଳ୍ପ ପାଇଁ ୬,୨୫୫.୯୪ କୋଟି ଟଙ୍କା ଅଟକଳ ହୋଇଥିଲା।
ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ମେଟ୍ରୋ ରେଳ ନୀତି ଅନୁଯାୟୀ ପ୍ରକଳ୍ପର ବାସ୍ତବିକତା, ଯାତ୍ରୀ ସଂଖ୍ୟା ଓ ବୈଷୟିକ ଦିଗର ପୁନଃଅନୁଧ୍ୟାନ ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ ସମିତି ଗଠନ ହୋଇଛି। ସହରୀ ଗତିଶୀଳତାକୁ ଦୃଢ଼ କରିବା ପାଇଁ ସମଗ୍ର ଗତିଶୀଳତା ଯୋଜନା ଓ ‘ସ୍ଥାୟୀ ସହରୀ ଗତିଶୀଳତା ପରିବର୍ତ୍ତନ ଯୋଜନା’ ପ୍ରସ୍ତୁତି ଚାଲିଛି।ଏହାସହ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା)ରେ ୭୧୪ଟି ବିଲ୍ଡର ସଂସ୍ଥା ବିରୋଧରେ ୪,୫୩୪ଟି ମାମଲା ରୁଜୁ ହୋଇଥିବା ତଥ୍ୟ ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାମଧ୍ୟରୁ ୧,୦୭୮ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ବିଧାୟକ ମଙ୍ଗୁ ଖିଲଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ଉଭୟ ପକ୍ଷଙ୍କର ସହଯୋଗ ଅଭାବ, ଭୁଲ୍ ଠିକଣା ଦାଖଲ, ମୁଲତବୀ ଦରଖାସ୍ତ ଓ ଉଚ୍ଚ ଅଦାଲତରେ ଅପିଲ୍ ଆଦି କାରଣରୁ ମାମଲା ସମାଧାନ ବିଳମ୍ବିତ ହେଉଛି।

