Thu. Feb 26th, 2026

ନ୍ୟୁଜ ଡେକ୍ସ : ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ରହିଥିବା ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ବୁଧବାର ଦିନ ଏହି ସୂଚନା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଇଛନ୍ତି। ତେବେ ରତ୍ନ ଭଣ୍ଡାରର ମୂଲ୍ୟବାନ ଜିନିଷଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ମନ୍ଦିର ପରିଚାଳନା କମିଟି ଏବଂ ପ୍ରଶାସନକୁ ଏହି ପ୍ରକ୍ରିୟା ସମ୍ପାଦନର ଦାୟିତ୍ୱ ଦିଆଯାଇଛି।

ଛତିଶା ନିଯୋଗ ସହ ଆଲୋଚନା ପରେ ତାରିଖ ଚୂଡ଼ାନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ଦେବତାଙ୍କ ଦୈନନ୍ଦିନ ନୀତି ଓ ଭକ୍ତମାନଙ୍କ ଦର୍ଶନରେ କୌଣସି ବାଧା ନ ଆସିବାକୁ ସୁନିଶ୍ଚିତ କରାଯିବ।ଜାନୁଆରୀ ୨୭ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି କ୍ରସ୍-ଭେରିଫିକେସନ୍ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ତ୍ୱାବଧାନ ଓ ପରିଚାଳନା ପାଇଁ ଦୁଇଟି ଦଳ ଗଠନ କରାଯାଇଛି।

ଏହି ଦୁଇ ଦଳ ଅରବିନ୍ଦ ପାଢୀଙ୍କ ନେତୃତ୍ୱରେ ସରକାରଙ୍କ ଅନୁମୋଦିତ ୧୪ ପୃଷ୍ଠାର SOP ଅନୁଯାୟୀ କାର୍ଯ୍ୟ କରିବେ। ଏଥିପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି।ମୁଖ୍ୟ ପ୍ରଶାସକଙ୍କ ସହ ରତ୍ନ ଭଣ୍ଡାର ଉପରେ ପୂର୍ବରୁ ଗଠିତ ଉଚ୍ଚସ୍ତରୀୟ କମିଟିର ଦୁଇ ସଦସ୍ୟ ଏବଂ ସବ-କମିଟିର ଜଣେ ସଦସ୍ୟଙ୍କୁ ନେଇ ଗଠିତ ପ୍ୟାନେଲ ସମଗ୍ର ପ୍ରକ୍ରିୟାର ତଦାରଖ କରିବେ।

Leave a Reply

Your email address will not be published. Required fields are marked *