Thu. Feb 26th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି। ଏଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା ଅନୁସାରେ, ବିଗତ କିଛିଦିନ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନଥିବାରୁ ରଥ ଚାଳନାରେ ବିଭିନ୍ନ ବିଘ୍ନ ସୃଷ୍ଟି ହେଉଥିଲା।

ଫଳରେ ରଥ ମାଉସୀ ମା’ଙ୍କ ମନ୍ଦିରକୁ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପ୍ରାୟ ଦୁଇ ଦିନ ବିଳମ୍ବ ହେଉଥିଲା। ବାହୁଡା ଯାତ୍ରା ସମୟରେ ମଧ୍ୟ ସମାନ ସମସ୍ୟା ଦେଖାଯାଉଥିଲା।ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣ ସମୟରେ କୌଣସି ଅସୁବିଧା ନ ହେବାକୁ ରାଜ୍ୟ ସରକାର ଏହି ଅନୁଦାନ ମଞ୍ଜୁର କରିଛନ୍ତି।

ଏନେଇ ବିଧି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ ପାଇଛି।ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ ବଳଦେବ ଜୀଉ ମନ୍ଦିରର ସମସ୍ତ ରୀତିନୀତି ଓ ପରମ୍ପରାର ସୁରକ୍ଷା ପ୍ରତି ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ଅନୁଦାନ ପୀଠକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହ ରାଜ୍ୟବାସୀଙ୍କ ପାଇଁ ଆନନ୍ଦର ବିଷୟ ବୋଲି ସେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *