Fri. Feb 27th, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ରାଜନଗର ପାଟଣା ଗ୍ରାମରେ ପିଲାଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ୨ ଜଣ ଏସ୍‌ଆଇଆର୍‌ କର୍ମଚାରୀ ଓ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରାଯାଇଥିବା ସହ ରାଇବଣିଆ ପୁଲିସକୁ ମଧ୍ୟ ଠେଲାପେଲା କରାଯାଇଥିଲା। ଗତକାଲି ରାତିରୁ ପୁଲିସ ଧରପଗଡ଼ ଆରମ୍ଭ କରି ୭୨ ଜଣଙ୍କୁ ଗିରଫ କରିଛି।

ସୂଚନାନୁସାରେ, ପିଲାଚୋରି ଗୁଜବ ପ୍ରଚାର ପାଇଁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ରାଇବଣିଆ ଥାନାଧିକାରୀ ଚମ୍ପାବତୀ ସୋରେନ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ଗ୍ରାମବାସୀ ତାଙ୍କୁ ଠେଲାପେଲା କରିଥିଲେ ଓ ଆଇନକୁ ହାତକୁ ନେଇ ପୁଲିସକୁ ଅଟକ ରଖିଥିଲେ।ଏନେଇ ରାଇବଣିଆ ଥାନାର ଏଏସ୍‌ଆଇ ଚନ୍ଦନ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍‌ ନମ୍ବର ୩୨/୨୬ ରୁଜୁ କରାଯାଇଛି। ଆହତ ଏସ୍‌ଆଇଆର୍‌ କର୍ମଚାରୀ ସୋମିତ ହାଜରାଙ୍କ ଅଭିଯୋଗ ଆଧାରରେ କେସ୍‌ ନମ୍ବର ୩୩/୨୬ ରେ ଆଉ ଏକ ମାମଲା ରୁଜୁ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ୍‌ ଗତକାଲି ରାତି ୨ଟାରୁ ଧରପଗଡ଼ ଆରମ୍ଭ କରିଥିଲା। ପୁଲିସ ଫୋର୍ସ ସହ ରାମନଗର ପାଟଣା ଗ୍ରାମରେ ଚଢ଼ଉ କରି ୯୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଜଳେଶ୍ୱର ଥାନାରେ ରଖାଯାଇଥିଲା। ଜେରା ପରେ ୭୨ ଜଣଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

ଗଣ୍ଡଗୋଳ ସମୟରେ ଉଠାଯାଇଥିବା ଏକାଧିକ ଭିଡିଓ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।ଅନ୍ୟପକ୍ଷରେ, ଆକ୍ରମଣରେ ଆହତ ହୋଇଥିବା ୨ ଏସ୍‌ଆଇଆର୍‌ କର୍ମଚାରୀଙ୍କୁ ଚିକିତ୍ସା ପରେ ପଶ୍ଚିମବଙ୍ଗ ପ୍ରଶାସନ ମାଧ୍ୟମରେ ସୁରକ୍ଷିତ ଭାବେ ଘରକୁ ପଠାଯାଇଛି। ପୁଲିସ ଏହି ଘଟଣାରେ ଆଗାମୀ ଦିନରେ ମଧ୍ୟ କଠୋର ପଦକ୍ଷେପ ନେବାକୁ ସଚେତନ କରିଛି।

Leave a Reply

Your email address will not be published. Required fields are marked *