Thu. Mar 5th, 2026

ନ୍ୟୁଜ ଡେକ୍ସ : ବିଜୁ ଜନତା ଦଳରୁ ପୂର୍ବତନ ବିଧାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଓ ତାଙ୍କର ସମ୍ପ୍ରତିକ ବକ୍ତବ୍ୟକୁ ଆଧାର କରି ଏହି କଠୋର ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ସୂଚିତ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ ଉପସଭାପତି ପ୍ରତାପ ଜେନା ଏନେଇ ଦଳୀୟ ଚିଠି ଜାରି କରିଛନ୍ତି।

ଆଜି ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ ଖୋଲାମେଳାଭାବେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏହାକୁ ଏକପାଖିଆ ନିଷ୍ପତ୍ତି ବୋଲି କହି ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ସେ ଦଳରୁ ଦୂରେଇଯିବା ସମ୍ଭାବନା ନେଇ ମଧ୍ୟ କହିଥିଲେ। ପ୍ରଭାତଙ୍କ ପୁଅ ଓ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ପ୍ରାର୍ଥୀ ଚୟନକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଭାତ ବିଶ୍ୱାଳ ଦଳର ଅର୍ଥନୀତିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ଯେ ଦଳ ତାଙ୍କୁ କ୍ଷତି କରିଛି, କିନ୍ତୁ ସେ ଦଳର କ୍ଷତି କରିନାହାନ୍ତି।ସେହିପରି ପାଣ୍ଡିଆନ୍ ଓ ସୁଜାତାଙ୍କ ନାମ ଉଲ୍ଲେଖ କରି ସେମାନେ ଦଳକୁ କ୍ଷତି କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଶେଷରେ ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *