Mon. Apr 20th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶକୁ ଅଶୋଧିତ ତେଲ ଓ ଏଲ୍ପିଜି ଆମଦାନୀ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଶନିବାର ଏଲ୍ପିଜି ଯୋଗାଣ ସହ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉପରେ କିଛି କଟକଣା ଲଗାଇଛି।

ନୂଆ ନିୟମ ଅନୁସାରେ ଯେଉଁ ଘରରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଅର୍ଥାତ୍ ପିଏନ୍ଜି ରହିଛି, ସେମାନେ ଘରେ ଏଲ୍ପିଜି ସଂଯୋଗ ରଖିପାରିବେ ନାହିଁ। ପିଏନ୍ଜି ସଂଯୋଗ ଥିବା ବ୍ୟକ୍ତିମାନେ ସରକାରୀ କମ୍ପାନୀ ବିତରକଙ୍କ ମାଧ୍ୟମରେ ଘରୋଇ ଏଲ୍ପିଜି ସଂଯୋଗ ପାଇପାରିବେ ନାହିଁ ଏବଂ ଯଦି ଏଲ୍ପିଜି ସଂଯୋଗ ରହିଥାଏ ତେବେ ତାହାକୁ ସରେଣ୍ଡର୍ କରିବାକୁ କୁହାଯାଇଛି।ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶବ୍ୟାପୀ ପେଟ୍ରୋଲ୍ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ୍ ଓ ଡିଜେଲ୍ ଉପଲବ୍ଧ ରହିଛି। ତଥାପି ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରାଯାଇଛି। ଏଥିରେ ପେଟ୍ରୋଲ୍ ଓ ଡିଜେଲ୍‌କୁ ଅନୁପଯୁକ୍ତ ପାତ୍ରରେ ଭରି ଘରେ ମହଜୁଦ ରଖିବାକୁ ମନା କରାଯାଇଛି।

ଏଭଳି ଅଭ୍ୟାସ ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ମନ୍ତ୍ରାଳୟ ସତର୍କ କରିଛି। ପେଟ୍ରୋଲ୍ ପମ୍ପଗୁଡ଼ିକୁ ବିକ୍ରି ସମୟରେ ସୁରକ୍ଷା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସୁରକ୍ଷା ନିୟମ ଉଲ୍ଲଂଘନ କଲେ ପେଟ୍ରୋଲ୍ ପମ୍ପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।ଅନ୍ୟପଟେ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଆରମ୍ଭ ହୋଇଛି। କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଓ ଯାଞ୍ଚ ଜାରି ରହିଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ଦେଶରେ ଘରୋଇ ଏଲ୍ପିଜି ବୁକିଂ ହଠାତ୍ ବଢ଼ିଛି। ଦୈନିକ ଏଲ୍ପିଜି ବୁକିଂ ପ୍ରାୟ ୭୫ ଲକ୍ଷରୁ ବଢ଼ି ୮୮ ଲକ୍ଷକୁ ପହଞ୍ଚିଛି। ଯଦିଓ ଯୋଗାଣ ସ୍ଥିତି କିଛି ଚିନ୍ତାଜନକ ରହିଛି, ତଥାପି ପ୍ରତ୍ୟେକ ପରିବାରକୁ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ଘରୋଇ ଏଲ୍ପିଜି ଗ୍ରାହକଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *