Fri. Apr 17th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଆଜି ରାମ ନବମୀ ଅବସରରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମୟରେ ଅନେକ ସ୍ଥାନରୁ ଛୋଟମୋଟ ହିଂସା ଘଟଣା ଖବର ମିଳିଥିଲା, ଯାହାମଧ୍ୟରୁ ସବୁଠାରୁ ଗୁରୁତର ଘଟଣା ମୁର୍ଶିଦାବାଦରେ ଘଟିଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାମ ନବମୀ ଶୋଭାଯାତ୍ରା ସମୟରେ ତିନୋଟି ସ୍ଥାନରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଷାଘଷି ଘଟିଥିଲା।

ଦୋକାନଗୁଡ଼ିକୁ ଭଙ୍ଗାରୁଜା କରାଯାଇଥିବା ସହ ଅଗ୍ନିସଂଯୋଗ ମଧ୍ୟ ଘଟିଛି। ପରିସ୍ଥିତିକୁ ଦେଖି ସମଗ୍ର ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି।ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ ମ୍ୟାକେଞ୍ଜି ପାର୍କରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଫୁଲତାଲା ନିକଟରେ ପହଞ୍ଚିବା ସମୟରେ ଆକ୍ରମଣ ହୋଇଥିଲା। ଶୋଭାଯାତ୍ରାରେ ଯୋଗଦେଇଥିବା ଲୋକଙ୍କ ଉପରେ ପଥର ଓ ଇଟା ମାଡ଼ ହୋଇଥିବାରୁ ଅନେକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଶୁଭେନ୍ଦୁ ଅଧିକାରୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରି ଏହାକୁ ଧାର୍ମିକ ଅପମାନ ବୋଲି ଅଭିହିତ କରିଥିଲେ। ଭିଡିଓରେ ହୋର୍ଡିଂରୁ ଗେରୁଆ ପତାକା କାଢ଼ି ଫିଙ୍ଗାଯାଉଥିବା ଦୃଶ୍ୟ ଦେଖାଯାଇଛି।

ଘଟଣା ପରେ ଅଞ୍ଚଳରେ ତଣ୍ଟା ବଢ଼ିଯାଇଥିବାରୁ ରାପିଡ୍ ଆକ୍ସନ୍ ଫୋର୍ସ ଓ ଅନ୍ୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ପୋଲିସ କହିଛି ଯେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି ଏବଂ କେତେକ ଲୋକଙ୍କୁ ଅଟକ ରଖାଯାଇଛି।ଏହା ସହିତ ଜିଲ୍ଲାର ଶିଶାତଲା ଗାଁରେ ମଧ୍ୟ ଡିଜେ ସଂଗୀତର ଉଚ୍ଚ ସ୍ୱରକୁ ନେଇ ବିବାଦ ହୋଇ ଦୁଇପକ୍ଷରେ ପଥର ମାଡ଼ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲା।ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଧାରା ୧୪୪ ଜାରି ରହିଛି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *