ନ୍ୟୁଜ ଡେକ୍ସ : ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଲାଗୁ କରାଯାଇଥିବା ଅନ୍-ସ୍କ୍ରିନ୍ ମାର୍କିଂ (ଓଏସଏମ) ବ୍ୟବସ୍ଥାକୁ ନେଇ ଉଠିଥିବା ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କଠୋର ପଦକ୍ଷେପ ନେଇଛି। ଏହି ବିବାଦ ମଧ୍ୟରେ ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ତୁରନ୍ତ ବଦଳି କରାଯାଇଛି।ରାହୁଲ ସିଂଙ୍କ ସ୍ଥାନରେ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସିବିଏସଇର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ହାଇଦ୍ରାବାଦ ଭିତ୍ତିକ ‘କୋଏମ୍ପ୍ଟ ଏଜୁଟେକ୍ ପ୍ରାଇଭେଟ୍ ଲିମିଟେଡ୍’କୁ ଟେଣ୍ଡର ପ୍ରଦାନ ପ୍ରକ୍ରିୟାର ତଦନ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।ଚଳିତ ବର୍ଷ ସିବିଏସଇ ପ୍ରଥମ ଥର ପାଇଁ ବୃହତ୍ ଆକାରରେ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀଙ୍କ ୪୦ କୋଟି ପୃଷ୍ଠାର ଉତ୍ତରଖାତାକୁ ଡିଜିଟାଲ୍ ସ୍କାନିଂ ମାଧ୍ୟମରେ ମୂଲ୍ୟାୟନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲା। ମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତାକୁ ନେଇ ବହୁ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଅନେକ ଖାତାର ସ୍କାନିଂ ଗୁଣବତ୍ତା ଖରାପ ଥିବାରୁ ଲେଖା ସ୍ପଷ୍ଟ ଦେଖାଯାଉନଥିଲା। କେତେକ ଖାତାର ପୃଷ୍ଠା ଗାୟବ ହୋଇଯାଇଥିବାବେଳେ ମାର୍କିଂ ପୋର୍ଟାଲରେ ମଧ୍ୟ ବୈଷୟିକ ତ୍ରୁଟି ଦେଖାଦେଇଥିଲା।
ଏହାର ପ୍ରଭାବରେ ଅନେକ ଛାତ୍ରଛାତ୍ରୀ ଆଶାଠାରୁ କମ୍ ନମ୍ବର ପାଇଥିବା ଏବଂ ପାସ୍ ହାର ମଧ୍ୟ ହ୍ରାସ ପାଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଶିକ୍ଷା ମନ୍ତ୍ରାଳୟ ସିବିଏସଇଠାରୁ ଟେଣ୍ଡର ପ୍ରକ୍ରିୟା ଓ ବୈଷୟିକ ପ୍ରସ୍ତୁତି ସମ୍ପର୍କିତ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛି। ସାଧାରଣ ଆର୍ଥିକ ନିୟମ ଉଲ୍ଲଂଘନ ଏବଂ ପ୍ରିୟାପ୍ରୀତି ତୋଷଣ ହୋଇଥିଲା କି ନାହିଁ, ତାହାର ମଧ୍ୟ ଯାଞ୍ଚ କରାଯାଉଛି।ଏପଟେ ସିବିଏସଇ ପକ୍ଷରୁ କୁହାଯାଇଛି ଯେ ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିଲା।
ତେବେ କିଛି ବୈଷୟିକ ତ୍ରୁଟି କାରଣରୁ ୬୮ ହଜାରରୁ ଅଧିକ ଉତ୍ତରଖାତାକୁ ପୁଣିଥରେ ସ୍କାନିଂ ଏବଂ ମୂଲ୍ୟାୟନ କରାଯାଉଛି ବୋଲି ବୋର୍ଡ ସ୍ପଷ୍ଟ କରିଛି। ଘଟଣାକୁ ନେଇ ସାରା ଦେଶର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ସଂସଦୀୟ ସ୍ଥାୟୀ ସମିତି ମଧ୍ୟ ଏହି ମାମଲାର ସମୀକ୍ଷା ପାଇଁ ସିବିଏସଇ ଓ ଶିକ୍ଷା ମନ୍ତ୍ରାଳୟର ଅଧିକାରୀମାନଙ୍କୁ ସମନ କରିଛି। ତଦନ୍ତ ଆଗକୁ ବଢ଼ୁଥିବାରୁ ଆଗାମୀ ଦିନରେ ଏହି ମାମଲା ଆହୁରି ଗୁରୁତର ରୂପ ନେବାର ସମ୍ଭାବନା ରହିଛି।

