ନ୍ୟୁଜ ଡେକ୍ସ : ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ହାର ବୃଦ୍ଧି କରାଯାଇଛି। ଚଳିତ ୨୦୨୬-୨୭ ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।ଏନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ସ୍ମାରକ ପ୍ରକାଶ କରାଯାଇଛି।
ଗତ ଏପ୍ରିଲ ୪ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଘୋଷଣା କରି ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ନୂତନ ବ୍ୟବସ୍ଥା ଅନୁଯାୟୀ, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ହାର ୧୨ ପ୍ରତିଶତରୁ ବୃଦ୍ଧି ପାଇ ୨୨.୫ ପ୍ରତିଶତ ହୋଇଛି। ସେହିପରି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷଣ ୮ ପ୍ରତିଶତରୁ ବୃଦ୍ଧି ପାଇ ୧୬.୨୫ ପ୍ରତିଶତ କରାଯାଇଛି। ପୂର୍ବରୁ କୌଣସି ସଂରକ୍ଷଣ ସୁବିଧା ନଥିବା ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ ପାଇଁ ବର୍ତ୍ତମାନ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ମତାନୁସାରେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ଧରି ଏହି ବର୍ଗର ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣରୁ ବଞ୍ଚିତ ହୋଇଆସୁଥିଲେ।
ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ କଲେଜ, ଆଇଟିଆଇ, ପଲିଟେକ୍ନିକ ଏବଂ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ, ମେଡିସିନ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, କୃଷି ଓ ଆନୁସଙ୍ଗିକ ବିଜ୍ଞାନ, ଆର୍କିଟେକ୍ଚର ଓ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାରେ ଅଧିକ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।

