ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲା ସୋର ପଣପଣା ନିକଟରେ ଗୋରୁ ବୋଝେଇ ଗାଡ଼ି ଅଟକାଇବା ବେଳେ ଦୁର୍ଘଟଣା ଘଟି ଜଣେ ଗୋରକ୍ଷକଙ୍କ ମୃତ୍ୟୁ ଘଟିଛି । ଅଜଣା ଗାଡ଼ିର ଧକ୍କାରେ ଏହି ଘଟଣା ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅଭିଯୋଗ ଅନୁସାରେ, ଗୋରୁ ମାଫିଆଙ୍କ ଗାଡ଼ି ୨ ଗୋରକ୍ଷକଙ୍କୁ ଧକ୍କା ଦେଇଥିଲା । ବାଲେଶ୍ୱରରୁ ସୋର ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଗାଡ଼ିକୁ ଅଟକାଇବା ପାଇଁ ନୀଳଗିରି ଅଞ୍ଚଳର ୨ ଯୁବକ ବାଇକରେ ପିଛା କରୁଥିଲେ । ବାଇକର ପଛରେ ବସିଥିବା ଜଣେ ଯୁବକ ମୋବାଇଲରେ ଲାଇଭ କରୁଥିବା ସମୟରେ ପଛପଟୁ ଏକ ଗାଡ଼ି ଧକ୍କା ଦେଇଥିଲା ।ଘଟଣା ପରେ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାର ସଠିକ୍ କାରଣ ଓ ଜଡିତ ଗାଡ଼ିକୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି ।ଅନ୍ୟପଟେ, ସମ୍ବଲପୁର ଜିଲ୍ଲା ଫୁଲଝରଣ ନିକଟରେ ସୋମବାର ଅନ୍ୟ ଏକ ଦୁର୍ଘଟଣା ଘଟିଥିଲା ।
ଏକ ଅଟୋକୁ ପଛ ପଟୁ ଟ୍ରକ ଧକ୍କା ଦେଇଥିବାରୁ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଓ ୫ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସଦର ମେଡିକାଲକୁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବିରସିଙ୍ଗଗଡ଼ରୁ ମାନେଶ୍ୱର ବଜାରକୁ ଯାଉଥିବା ଅଟୋରେ ୧୦ରୁ ଅଧିକ ଯାତ୍ରୀ ଥିଲେ । ମୃତକ ମହିଳାଙ୍କ ନାମ ବେଦ ଖରସେଲ ବୋଲି ଜଣାପଡ଼ିଛି । ପୋଲିସ ଦୁଇଟି ଘଟଣାରେ ତଦନ୍ତ ଜାରି ରଖିଛି ।

