ନ୍ୟୁଜ ଡେକ୍ସ : ବୁଧବାରଠାରୁ ସାରା ଦେଶରେ ଏକାସାଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ କରାଯିବ।ପ୍ରଥମ ୧୫ ଦିନ ସ୍ୱଗଣନା ବା ସେଲ୍ଫ ଏନୁମରେସନ ହେବ। ଏପ୍ରିଲ ୧ ତାରିଖଠାରୁ ଲୋକମାନେ se.census.gov.in ପୋର୍ଟାଲ କିମ୍ବା ଏହାର ମୋବାଇଲ ଆପ୍ ମାଧ୍ୟମରେ ନିଜେ ନିଜର ତଥ୍ୟ ଦେଇପାରିବେ।
ପ୍ରତ୍ୟେକ ନାଗରିକଙ୍କୁ ମୋଟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ।ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ। ସେମାନେ ମଧ୍ୟ ସେହି ସମାନ ୩୩ଟି ପ୍ରଶ୍ନ ପଚାରିବେ।ଏହି ପ୍ରଶ୍ନଗୁଡିକରେ ଭବନ ନମ୍ବର, ଘର ନମ୍ବର, ଘରର ଅବସ୍ଥା, ପରିବାର ସଦସ୍ୟଙ୍କ ନାମ, ଲିଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କିତ ତଥ୍ୟ, ଘର ମାଲିକାନା, କୋଠା ସଂଖ୍ୟା, ପାନୀୟ ଜଳ ଓ ଆଲୋକ ଉତ୍ସ, ଶୌଚାଳୟ ସୁବିଧା, ରୋଷେଇ ଘର, ଏଲପିଜି ସଂଯୋଗ, ଇନ୍ଧନ ପ୍ରକାର ଇତ୍ୟାଦି ସାମିଲ ରହିଛି।
ସେଥିପାଇଁ ରେଡିଓ, ଟିଭି, ଇଣ୍ଟରନେଟ, ଲାପଟପ, ମୋବାଇଲ, ସାଇକେଲ, ମୋଟରସାଇକେଲ, କାର୍ ଭଳି ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ ହେବ।ସ୍ୱଗଣନା ପ୍ରକ୍ରିୟା ବାଧ୍ୟତାମୂଳକ ନୁହେଁ। ତଥାପି ଯେଉଁମାନେ ଏହି ପୋର୍ଟାଲ ମାଧ୍ୟମରେ ନିଜ ତଥ୍ୟ ଦେଇଦେବେ, ସେମାନଙ୍କୁ ପୁଣିଥରେ ଘରେ ଘରେ ହେଉଥିବା ଜନଗଣନାରେ ସାମିଲ ହେବାକୁ ପଡିବ ନାହିଁ। ସେମାନେ କେବଳ ଅଧିକାରୀଙ୍କୁ ନିଜର ରେଫରେନ୍ସ ନମ୍ବର ଦେବେ।ବିକଶିତ ଦେଶ ଗଠନ ପାଇଁ ସଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

