ନ୍ୟୁଜ ଡେକ୍ସ : ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଧାନସଭା ଅଧିବେଶନରେ ଦୀର୍ଘ ଆଲୋଚନା ପରେ ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ୨୦୨୬ ଗୃହରେ ପାରିତ ହୋଇଛି। ପ୍ରାୟ ୪ ଘଣ୍ଟା ଧରି ଚର୍ଚ୍ଚା ହେବା ପରେ ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ଚାଲି ଶେଷରେ ବିଲ୍ ପାସ୍ ହୋଇଥିଲା।ଲଗାତାର ୯ ଦିନ ଧରି ଅଚଳ ଅବସ୍ଥା ପରେ ମଙ୍ଗଳବାର ବିଧାନସଭା ସ୍ୱାଭାବିକ ହୋଇଥିଲା।
ପୂର୍ବାହ୍ଣରେ ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିବା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ମଧ୍ୟ ଲମ୍ବା ବିତର୍କ ହୋଇଥିଲା।ବିଧେୟକ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୧୯ର ସଂରକ୍ଷଣ ଆଇନ ଲାଗୁ ହୋଇଥିବା ବେଳେ ସମଗ୍ର ବିଶ୍ୱବିଦ୍ୟାଳୟକୁ ଏକକ ୟୁନିଟ୍ ଭାବରେ ଗଣନା କରାଯାଏ। କିନ୍ତୁ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏପର୍ଯ୍ୟନ୍ତ ଏପରି କୌଣସି ବ୍ୟବସ୍ଥା ନଥିଲା। ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ୨୦୮୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ କେବଳ ୬୫୯ ଶିକ୍ଷକ କାର୍ଯ୍ୟରତ ଅଛନ୍ତି।
ତେଣୁ ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ଏହି ଆଇନ ପ୍ରଣୟନ ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସାମାଜିକ ଓ ଶିକ୍ଷାଗତ ଭାବରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ଏକକ ଭାବରେ ଗ୍ରହଣ କରାଯାଇ ଏହି ବିଧେୟକ ଆଣାଯାଇଛି। ପୂର୍ବରୁ ଜାନୁଆରୀ ୩୦ ତାରିଖରୁ ଏହା ଅଧ୍ୟାଦେଶ ଆକାରରେ ବଳବତ୍ତର ରହିଥିଲା।

