ନ୍ୟୁଜ ଡେକ୍ସ : ଆସନ୍ତା ୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଗସ୍ତ କରିବେ। ସେଠାରେ ସେ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଜୋରଦାର ପ୍ରଚାର କରିବେ। ପୂର୍ବରୁ ମାର୍ଚ୍ଚ ୮ ତାରିଖରେ ମଧ୍ୟ ସେ ବେଙ୍ଗଲରେ ପ୍ରଚାର କରିଥିଲେ। ଏପ୍ରିଲ ୨୩ ଓ ୨୯ ତାରିଖରେ ଦୁଇ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଭୋଟ ହେବାକୁ ଯାଉଛି।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସହ ମିଳିବେ ଓ ସେମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବେ। ସେଥିସହ ରାଜ୍ୟର ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଫୋର୍ସ ମାଗିବା ବିଷୟରେ ମଧ୍ୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ପଶ୍ଚିମ ଏସିଆରେ ଚାଲିଥିବା ସଂକଟକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁଦ୍ଧ ପରିସ୍ଥିତିର ପ୍ରଭାବକୁ ନେଇ ସେ ସ୍ୱୟଂ ସମୀକ୍ଷା କରିଛନ୍ତି।
ପୂର୍ବରୁ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସଚିବମାନେ ମଧ୍ୟ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି।କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ସଜାଗ ଅଛି। ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରି ସେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ଆଶ୍ୱସନା ଦେଇଛନ୍ତି।

