Thu. Apr 16th, 2026

ନ୍ୟୁଜ ଡେକ୍ସ : ପୂର୍ବତଟ ରେଳପଥ ପୁଣିଥରେ ଭାରତୀୟ ରେଳବାଇର ପ୍ରମୁଖ ପଣ୍ୟ ପରିବହନକାରୀ ଜୋନ୍ ଭାବେ ନିଜ ସ୍ଥାନକୁ ସୁଦୃଢ଼ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଜୋନ୍ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ପୂର୍ବବର୍ଷର ୨୫୯.୨୫ ନିୟୁତ ଟନ୍ ସହିତ ତୁଳନା କଲେ ଏହା ପ୍ରାୟ ୧୦.୪ ପ୍ରତିଶତ ବୃଦ୍ଧି ଦର୍ଶାଉଛି।ପଣ୍ୟ ପରିବହନରେ ବୃଦ୍ଧି ସହ ଆୟରେ ମଧ୍ୟ ଲକ୍ଷଣୀୟ ବୃଦ୍ଧି ଦେଖାଯାଇଛି।

ଚଳିତ ବର୍ଷ ପୂର୍ବତଟ ରେଳପଥ ପଣ୍ୟ ପରିବହନରୁ ₹୨୯,୪୫୬.୬୦ କୋଟି ଆୟ କରିଥିବା ବେଳେ, ପୂର୍ବବର୍ଷରେ ଏହା ₹୨୬,୬୯୧.୮୨ କୋଟି ଥିଲା। ଏହା ୧୦ ପ୍ରତିଶତରୁ ଅଧିକ ବୃଦ୍ଧିକୁ ପ୍ରତିଫଳିତ କରୁଛି।ଭାରତୀୟ ରେଳବାଇର ସମୁଦାୟ ୧୬୬୯.୯ ନିୟୁତ ଟନ୍ ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ଅବଦାନ ୧୭.୧ ପ୍ରତିଶତ ରହିଛି। ବିଶେଷ କଥା ହେଉଛି, ଲଗାତାର ସପ୍ତମ ବର୍ଷ ପାଇଁ ଏହି ଜୋନ୍ ୨୦୦ ମିଲିୟନ ଟନ୍‌ରୁ ଅଧିକ ପଣ୍ୟ ପରିବହନ ଅତିକ୍ରମ କରି ନେତୃତ୍ୱ ବଜାୟ ରଖିଛି। କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଆଲୁମିନା, ସାର ଓ ଖାଦ୍ୟ ଶସ୍ୟ ପରି ମୁଖ୍ୟ ବଲ୍କ ସାମଗ୍ରୀ ପରିବହନରେ ପୂର୍ବତଟ ରେଳପଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି, ଯାହା ଦେଶର ଶିଳ୍ପ ଓ ଭିତ୍ତିଭୂମି ଉନ୍ନୟନକୁ ସହାୟତା କରୁଛି।ଏହା ସହ ଯାତ୍ରୀ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହି ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।

୨୦୨୫-୨୬ ଆର୍ଥିକ ବର୍ଷରେ ୯୭.୬୪ ନିୟୁତ ଯାତ୍ରୀଙ୍କୁ ପରିବହନ କରି ₹୨,୪୯୫.୫୧ କୋଟି ଆୟ କରାଯାଇଛି। ପୂର୍ବବର୍ଷ ସହିତ ତୁଳନା କଲେ ଯାତ୍ରୀ ସଂଖ୍ୟାରେ ୫.୨୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି।ଯାତ୍ରୀ ସୁବିଧାରେ ଉନ୍ନତି, ସମୟାନୁବର୍ତ୍ତିତା, ପରିଷ୍କାରତା ଓ ସୁରକ୍ଷା ବୃଦ୍ଧି ସହିତ ଟ୍ରେନ୍ ସେବାର ସୁଧାର ଏହି ସଫଳତାର ପ୍ରମୁଖ କାରଣ ଭାବେ ଦେଖାଯାଇଛି।ପଣ୍ୟ ପରିବହନ ଓ ଯାତ୍ରୀ ସେବା ଉଭୟ କ୍ଷେତ୍ରରେ ଏହି ନିରନ୍ତର ସଫଳତା ସହ ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ଅଗ୍ରଣୀ ଜୋନ୍ ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

Leave a Reply

Your email address will not be published. Required fields are marked *