Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜିଠାରୁ ପୁନର୍ବାର ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପିୟୁସିସି ନଥିବା ଗାଡ଼ିଗୁଡ଼ିକୁ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥା ମାଧ୍ୟମରେ ଚାଲାଣ କଟାଯିବ। ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟ ସରକାର ପିୟୁସିସି ଯାଞ୍ଚକୁ କୋହଳ କରିଥିଲେ, କିନ୍ତୁ ଆଜିଠାରୁ ଏହା ପୁନଃ କଡ଼ା ଭାବରେ ଲାଗୁ ହେଉଛି।

ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷା ଉପରେ ଜୋର ଦେଇ ଚାଲିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସଡ଼କ ସୁରକ୍ଷା ସଚେତନତା ସହିତ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖାଯାଉଛି।ତଥ୍ୟ ଅନୁଯାୟୀ, ଓଡ଼ିଶାରେ କେବଳ ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅନେକ ଗାଡ଼ି ମାଲିକ ଏହାକୁ ଅନୁଦେଖା କରୁଥିବାରୁ ପରିବହନ ବିଭାଗ ପକ୍ଷରୁ ଏହି ଯାଞ୍ଚକୁ ଜୋରଦାର କରାଯାଇଛି।ବୈଧ ପିୟୁସିସି ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଯଦିଓ ଏହି ଜରିମାନା କମାଇବା ପାଇଁ ପ୍ରସ୍ତାବ ରହିଛି, ବର୍ତ୍ତମାନ ପୁରୁଣା ନିୟମ ଅନୁଯାୟୀ ଜରିମାନା ଆଦାୟ ହେଉଛି।

ଏହା ସହ ପେଟ୍ରୋଲ ପମ୍ପଗୁଡ଼ିକରେ ପିୟୁସିସି ଦେଖାଇଲେ ମାତ୍ର ଗାଡ଼ିରେ ତେଲ ପକାଯିବାକୁ ନିର୍ଦ୍ଦେଶ ରହିଛି। ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ଦିଆଯାଉଛି, ଯାହାକୁ ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି।ଯାଞ୍ଚ କଡ଼ାକଡ଼ି ହେବା ପରେ ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନର ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଗାଡ଼ି ମାଲିକଙ୍କ ଭିଡ଼ ବଢ଼ିଥିବା ଦେଖାଯାଉଛି।

Leave a Reply

Your email address will not be published. Required fields are marked *