ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା। ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ମୂଲ୍ୟାୟନ କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି କେନ୍ଦ୍ରରେ ଚାଲିଆସୁଛି।ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ପ୍ରାୟ ୧୫ ହଜାର ବରିଷ୍ଠ ବିଷୟ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସବ୍ଜେକ୍ଟିଭ୍ ଖାତା ଦେଖା ପାଇଁ ୧୩ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ଅଛନ୍ତି।
ଏହା ସହ ଏସଓଏସସି ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ପୂର୍ବରୁ ଶେଷ ହୋଇସାରିଥିବା ସୂଚନା ମିଳିଛି।ଚଳିତ ବର୍ଷ ମାଟ୍ରିକ୍, ଏସଓଏସସି ଓ ମଧ୍ୟମା ପରୀକ୍ଷାରେ ମିଶି ପ୍ରାୟ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ୧୦୦ ନମ୍ବରର ପରୀକ୍ଷାରୁ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଥିବାରୁ ସେଗୁଡ଼ିକର ମୂଲ୍ୟାୟନ ପୂର୍ବରୁ ଶେଷ ହୋଇଯାଇଛି।
ମୂଲ୍ୟାୟନ ପ୍ରକ୍ରିୟାର ସ୍ୱଚ୍ଛତା ନିମନ୍ତେ ପ୍ରତିଦିନ ଶିକ୍ଷକମାନେ ଖାତା ଦେଖିସାରିବା ପରେ ବୋର୍ଡ ଦ୍ୱାରା ଦିଆଯାଇଥିବା ଲିଙ୍କ୍ରେ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ କରାଯାଉଛି। ଅନ୍ୟପକ୍ଷରେ, ଦୁଇଟି ଜିଲ୍ଲାରୁ ବୁଧବାର ଉତ୍ତର ଖାତା ବିଳମ୍ବରେ ପହଞ୍ଚିଥିବା ସୂଚନା ମିଳିଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ମେ’ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବୋର୍ଡ ଲକ୍ଷ୍ୟ ଧାର୍ଯ୍ୟ କରିଛି।

