Thu. Apr 16th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ପରିସ୍ଥିତି କେବେ ସାମାନ୍ୟ ହେବ ତାହା ନେଇ ଅନିଶ୍ଚିତତା ଆହୁରି ଗଭୀର ହେଉଛି । ଏହି ଭୟଭୀତ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନ ସେବା ସ୍ଥଗିତ ରଖାଯାଇଥିବା ଘୋଷଣା ହେବା ସହିତ, ସେଠାରେ ରହୁଥିବା ଭାରତୀୟମାନଙ୍କ ମନରେ ଭୟ ଓ ଚିନ୍ତା ଆହୁରି ବଢ଼ିଯାଇଛି ।

ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୪୦ ହଜାର ଭାରତୀୟ ବର୍ତ୍ତମାନ ବସୋବାସ କରୁଛନ୍ତି । ଯୁଦ୍ଧର ଆତଙ୍କ ମଧ୍ୟରେ ଅନେକେ ଶୀଘ୍ର ଭାରତକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସିଧାସଳଖ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି । ପ୍ରତିଦିନ ଗୋଳାବାରୁଦର ଶବ୍ଦ ଓ ଆକ୍ରମଣର ଆଶଙ୍କା ମଧ୍ୟରେ ସେମାନଙ୍କ ଜୀବନ ଅନିଶ୍ଚିତତାରେ ଜଡିତ ହୋଇପଡ଼ିଛି ।ଏହି ପରିସ୍ଥିତିରେ ଯେଉଁ ଭାରତୀୟମାନେ ଇସ୍ରାଏଲ ଛାଡିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ ଏକ ବିକଳ୍ପ ପଥ ଖୋଲା ରହିଛି । ସେମାନେ ପ୍ରଥମେ ସ୍ଥଳପଥ ମାଧ୍ୟମରେ ଜୋର୍ଡାନ କିମ୍ବା ଇଜିପ୍ଟକୁ ପହଞ୍ଚୁଛନ୍ତି । ତାପରେ ସେଠାରୁ ବିମାନ ଯୋଗେ ଭାରତକୁ ଫେରୁଥିବା ଖବର ମିଳିଛି ।

କିନ୍ତୁ ଏହି ଯାତ୍ରା କୌଣସି ସହଜ ପଥ ନୁହେଁ । ସୀମା ପାର ହେବା ସମୟରେ ଅନେକ ପ୍ରକାର ସୁରକ୍ଷା ଓ ଜଟିଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି । ତଥାପି, ତେଲ୍ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଯାଉଛି ବୋଲି ଜଣାପଡ଼ିଛି । ସୀମା ପର୍ଯ୍ୟନ୍ତ ପହଞ୍ଚିବା, ଆବଶ୍ୟକ ଦଳିଲପତ୍ର ଓ ଯାତ୍ରା ସୁବିଧା ନେଇ ଦୂତାବାସ ନିରନ୍ତର ସହଯୋଗ କରୁଛି ।

ତଥାପି ଭୟ ଓ ଅନିଶ୍ଚିତତାର ଛାୟା ମଧ୍ୟରେ ରହିଥିବା ଲୋକମାନଙ୍କ ପାଇଁ ପ୍ରତିକ୍ଷଣ ହେଉଛି ଏକ ନୂତନ ଚାଲେଞ୍ଜ ।ଏହି ପରିସ୍ଥିତି କେବେ ସୁଧରିବ ଓ ସାଧାରଣ ଜୀବନ କେବେ ପୁନଃସ୍ଥାପିତ ହେବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଦେଖାଯାଉନାହିଁ । ମଧ୍ୟପ୍ରାଚ୍ୟର ଏହି ତନାତନି କେତେ ଦୂର ପର୍ଯ୍ୟନ୍ତ ଯିବ ଓ ଏହାର ପ୍ରଭାବ ଆଉ କେତେ ଲୋକଙ୍କ ଜୀବନକୁ ପ୍ରଭାବିତ କରିବ, ତାହା ନେଇ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛି ।

Leave a Reply

Your email address will not be published. Required fields are marked *