ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହେବା ଘଟଣା ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଆଜି ସକାଳ ପ୍ରାୟ ୯ଟାରୁ ମହାପ୍ରଭୁଙ୍କ ଦୈନିକ ନୀତି ବନ୍ଦ ରହିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ଗର୍ଭଗୃହ ଭିତରେ ରୂପା ଘୋଡ଼ଣୀକୁ କେନ୍ଦ୍ର କରି ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି।
ସକାଳେ ନୀତି ଆରମ୍ଭ ସମୟରେ ହଠାତ୍ ଦୁଇ ପକ୍ଷରେ କଥାକଟାକାଟି ଆରମ୍ଭ ହୋଇଥିଲା, ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିବା ଖବର ମିଳିଛି। ଏହାର ପରିଣତିରେ ଗର୍ଭଗୃହରେ ନୀତିକାନ୍ତି ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ସୁଆର ନିଯୋଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନନାଶର ଧମକ ଦିଆଯାଇଛି। ରୂପା ଘୋଡ଼ଣୀକୁ ସୁଆର ନିଯୋଗର ସେବାୟତମାନେ ଚୋରି କରି ନେଇଯାଉଥିବା ବେଳେ ବଡୁ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିବା କଥା ସେ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି ଏବଂ କମଳାକାନ୍ତ ବଡୁ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନୀତିକାନ୍ତିକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି।ଘଟଣା ପରେ ମନ୍ଦିର ପରିସରରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଭକ୍ତମାନେ ଦର୍ଶନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ମଧ୍ୟ ଏପରି ସେବାୟତ ବିବାଦ ଦେଖିବାକୁ ମିଳିଥିଲା ଓ ତାହାର ପ୍ରଭାବ ନୀତିକାନ୍ତି ଉପରେ ପଡ଼ିଥିଲା।

