ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା ୪ ଦିନ କାଳବୈଶାଖୀର ପ୍ରଭାବ ଦେଖାଯିବାର ଆଶଙ୍କା ରହିଛି। ଆଜି ବିଜୁଳି ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଝଟକା ବର୍ଷା ସହ ବେଗବାନ ପବନ ଏବଂ କୁଆ ପଥର ବର୍ଷାହେବାର ସମ୍ଭାବନା ରହିଛି।
ଏଥିସହ ବିଜୁଳି ଘଡ଼ଘଡ଼ି ପାଇଁ ରାଜ୍ୟର ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଜାରି ରହିବାର ପୂର୍ବାନୁମାନ ରହିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ବେଳେ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳକୁ ଏଥିରୁ ବାହାରେ ରଖାଯାଇଛି। ଏହାସହ ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଆଗାମୀ କିଛି ଘଣ୍ଟା ପାଇଁ ୟେଲୋ ସତର୍କତା ଜାରି କରାଯାଇଥିଲା। କାଳବୈଶାଖୀ ପ୍ରଭାବରେ ରାଜ୍ୟର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଦେଖାଯିବା ସମ୍ଭାବନା ରହିଛି ଏବଂ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ। ପାଣିପାଗ ବିଭାଗ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

