Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଗାଡିର ନମ୍ବର ପ୍ଲେଟରେ ଅନଧିକୃତ ଭାବେ ଲୋଗୋ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ନେଇ ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଓଡିଶା ମାନବ ଅଧିକାର ଆୟୋଗ କିମ୍ବା ପୁଲିସ ଭଳି ସଂସ୍ଥାର ଲୋଗୋ ନିଜସ୍ୱ ଗାଡିରେ ଲଗାଇବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।

ଏଭଳି ଅନଧିକୃତ ଲୋଗୋ ବ୍ୟବହାର କରୁଥିବା ଗାଡିଗୁଡ଼ିକୁ ଜବତ କରାଯିବ ବୋଲି ସ୍ପଷ୍ଟ ନିର୍ଦେଶ ଜାରି ହୋଇଛି।ଏନେଇ ରାଜ୍ୟ ପରିବହନ କମିଶନର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟମାନଙ୍କୁ କଠୋର ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏକ ସ୍ଵତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ଏହି ଅଭିଯାନ ସମୟରେ ଯାତାୟାତ ବିଭାଗ ଓ ପୁଲିସ ଯୁକ୍ତ ଭାବେ ଗାଡିଗୁଡ଼ିକୁ ଯାଞ୍ଚ କରିବେ।ନିୟମ ଅନୁଯାୟୀ ଗାଡିର ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ରହିବାକୁ ଥାଏ। ଏହା ଛଡ଼ା ଯେକୌଣସି ପ୍ରକାରର ଲୋଗୋ, ଚିହ୍ନ କିମ୍ବା ଲେଖା ବ୍ୟବହାର କରିବା ଅବୈଧ।

କିଛି ବ୍ୟକ୍ତି ନିଜକୁ ପ୍ରଭାବଶାଳୀ ଦେଖାଇବା ପାଇଁ କିମ୍ବା ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ପୁଲିସ କିମ୍ବା ସରକାରୀ ସଂସ୍ଥାର ଲୋଗୋ ବ୍ୟବହାର କରୁଥିବା ନେଇ ଅନେକ ଅଭିଯୋଗ ମିଳିଥିଲା। ଏହି ପରିପ୍ରେକ୍ଷିତରେ ସରକାର ପକ୍ଷରୁ ଏହି ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ମାଲିକଙ୍କ ବିରୋଧରେ ମାତ୍ର ଜରିମାନା ନୁହେଁ, ଆବଶ୍ୟକ ହେଲେ ଗାଡି ଜବତ ମଧ୍ୟ କରାଯିବ।

ସାଧାରଣ ଲୋକଙ୍କୁ ମଧ୍ୟ ଏହା ସମ୍ପର୍କରେ ସଚେତନ ରହିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ଗାଡିରେ ଏଭଳି ଅନଧିକୃତ ଲୋଗୋ ଦେଖାଯାଏ, ତେବେ ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଆହ୍ୱାନ ଦିଆଯାଇଛି। ଏହି ଅଭିଯାନ ମାଧ୍ୟମରେ ଯାତାୟାତ ନିୟମକୁ କଡ଼ାଭାବେ ଲାଗୁ କରିବା ସହ ସଡ଼କ ସୁରକ୍ଷା ଓ ସାମାଜିକ ଶୃଙ୍ଖଳାକୁ ଶକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *