ନ୍ୟୁଜ ଡେକ୍ସ : ଅମୃତ ୨.୦ର ସଫଳ କାର୍ଯ୍ୟକାରିତାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଏକ ଗୌରବମୟ ସଫଳତା ହାସଲ କରିଛି। ସହରାଞ୍ଚଳର ପ୍ରତିଟି ପରିବାରକୁ ପାନୀୟ ଜଳ ଯୋଗାଣ ଏବଂ ଜଳାଶୟ ପୁନରୁଦ୍ଧାର କ୍ଷେତ୍ରରେ ରାଜ୍ୟର ଏହି ପ୍ରଦର୍ଶନ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।୨୦୨୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ମିଶନ ମାଧ୍ୟମରେ ରାଜ୍ୟର ୮୯ଟି ପୌରସଂସ୍ଥାରେ ଦ୍ରୁତଗତିରେ ପ୍ରଗତି ଦେଖାଯାଇଛି।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦୩୦.୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ୯୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଓ ଅନ୍ୟଗୁଡ଼ିକର କାମ ଚାଲିଛି।ଜଳ ଭିତ୍ତିଭୂମି ସୁଦୃଢ଼ କରିବାରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ସଫଳତା ଲାଭ କରିଛି। ୭ଟି ଜଳ ବିଶୋଧନ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୪୩ MLD ଜଳ ବିଶୋଧନ କ୍ଷମତା ସୃଷ୍ଟି ହୋଇ ପ୍ରାୟ ୨.୮୩ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ଏହାସହ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ମିଳିଥିବା ବେଳେ ୫ ଲକ୍ଷରୁ ଅଧିକ ସହରବାସୀ ସିଧାସଳଖ ଲାଭାନ୍ବିତ ହୋଇଛନ୍ତି।
ଏହି ସଫଳତା ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅମୃତ ୨.୦ର ଶୀର୍ଷ ସ୍ଥାନ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରେ ଏବଂ ସମସ୍ତଙ୍କୁ ନିରାପଦ ଜଳ ଯୋଗାଇବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।ରାଜ୍ୟ ସରକାର ପକ୍ଷରୁ ‘ପେ ଜଳ ସର୍ବେକ୍ଷଣ’, ‘ଜୟ ହେ ଅମୃତ’, ‘ଅମୃତ ମିତ୍ର’ ଓ ‘ଓମେନ ଫର ଟ୍ରି’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ପରିଚାଳନା ଓ ପରିବେଶ ସୁରକ୍ଷାକୁ ଆଗକୁ ଆଣାଯାଉଛି। ସେହିପରି ‘କ୍ରେଡିଟ ଏନହାନ୍ସମେଣ୍ଟ’ ଭଳି ଅଭିନବ ବ୍ୟବସ୍ଥା ମାଧ୍ୟମରେ ଛୋଟ ସହରଗୁଡ଼ିକରେ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦିଆଯାଉଛି।

