Fri. Apr 17th, 2026

ନ୍ୟୁଜ ଡେକ୍ସ : ପୁରୀର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି। ନୀତି ସବ୍ କମିଟିରେ ନିର୍ଦ୍ଧାରିତ ନୀତିକୁ ବୈଠକରେ ଅନୁମୋଦନ ମିଳିଛି।ଆସନ୍ତା ଏପ୍ରିଲ ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ହେବ।

ଏହି ଦିନ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ୩.୩୦ରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।

ଭକ୍ତମାନେ ସୁବିଧାରେ ଓ ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେଥିପାଇଁ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା। ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପାଦନ ପାଇଁ ସେବାୟତ ନିଯୋଗମାନଙ୍କ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟ ପ୍ରଶାସକ ଆହ୍ୱାନ କରିଥିଲେ।ସେହିପରି ଆସନ୍ତା ୧୪ ତାରିଖ ଓଡ଼ିଆ ନବବର୍ଷ ଅବସରରେ ମହାପ୍ରଭୁଙ୍କ ପାଇଁ ନୂତନ ରତ୍ନ ପଲଙ୍କ ବ୍ୟବହାର କରାଯିବ। ସଂସ୍କାର ପରେ ଏହି ପଲଙ୍କ ବ୍ୟବହାର ହେବ ଓ ତିନୋଟି ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇଥିବା ବେଳେ ସେଗୁଡ଼ିକୁ ରୂପାରେ ଆବୃତ କରାଯାଇଛି।

Leave a Reply

Your email address will not be published. Required fields are marked *