ନ୍ୟୁଜ ଡେକ୍ସ : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍ଧାରୀ ଓ ଶିଳ୍ପପତିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ଦେଶରେ ଲୁହାପଥର ଚାହିଦା ବଢୁଥିବା ପରିପ୍ରେକ୍ଷିତରେ ଅଧିକ ପରିମାଣରେ ଉତ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ଏହି ପାଇଁ ରାଜ୍ୟ ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ସେ ଶିଳ୍ପପତି ଓ ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଉତ୍ପାଦନ ଓ ଡିସପ୍ୟାଚ୍କୁ ଗୁରୁତ୍ୱ ଦେଇ MDPA ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଧ୍ୟାନରେ ରଖି ଆବଶ୍ୟକତାନୁସାରେ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖଣି ବହୁଳ ଜିଲ୍ଲାଗୁଡ଼ିକରେ ଶିଳ୍ପ ସଂଖ୍ୟା କମ ଥିବାରୁ ସେଠାରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପପତିମାନେ ଆଗୁଆ ହେବା ଆବଶ୍ୟକ। ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସମସ୍ତ ସୁବିଧା ସରକାର ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ ପୁନରୁଚ୍ଚାରଣ କରିଥିଲେ। ସେହି ସହିତ ଶିଳ୍ପପତିମାନଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା। ବୈଠକରେ ବନୀକରଣ ସମ୍ବନ୍ଧୀୟ ଜମି ସୂଚନା ପାଇଁ ଏକ ଡାଟାବେସ୍ ପ୍ରସ୍ତୁତି ଚାଲିଥିବା ବେଳେ, ଏହା ମାଧ୍ୟମରେ ଖଣି ଲିଜ୍ଧାରୀ ଓ ଶିଳ୍ପପତିମାନେ ବିଭିନ୍ନ ଜିଲ୍ଲାରେ ଉପଲବ୍ଧ ଜମି ସମ୍ପର୍କରେ ସହଜରେ ଅବଗତ ହୋଇପାରିବେ ବୋଲି କୁହାଯାଇଛି।
ଏହାସହ ୨୦୨୬-୨୭ ପାଇଁ ବାର୍ଷିକ ଖଣି ନିଲାମ କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ ହୋଇଥିବାର ସୂଚନା ମିଳିଛି।ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଥିଲେ।ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂ, ଶାଶ୍ୱତ ମିଶ୍ର, ହେମନ୍ତ ଶର୍ମା ସହିତ ଟାଟା ଷ୍ଟିଲ୍, JSW ଓ AMNS Indiaର ପ୍ରତିନିଧିମାନେ ଯୋଗଦେଇଥିଲେ।

