ନ୍ୟୁଜ ଡେକ୍ସ : ଦେଶରେ ବର୍ତ୍ତମାନ ଏଲପିଜି ଗ୍ୟାସ୍ ଟାଙ୍କିକୁ ନେଇ ଭୟଙ୍କର ସଙ୍କଟ ଦେଖାଦେଇଛି। ସରକାରୀ ଆଶ୍ୱାସନ ସତ୍ତ୍ୱେ ମଧ୍ୟ ସମୟରେ ଗ୍ୟାସ୍ ଯୋଗାଣ ହେଉନାହିଁ। କେତେକ ଅଞ୍ଚଳରେ ଟାଙ୍କି ମୂଲ୍ୟ ୩୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଉଜ୍ଜ୍ୱଳା ଯୋଜନାର ଗ୍ରାହକମାନେ ମଧ୍ୟ ଖାଲିହାତେ ଫେରୁଛନ୍ତି। ବୁକିଂ କଲେ ମଧ୍ୟ ସମୟରେ ଡିଲିଭେରି ମିଳୁନଥିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ଥିର ହୋଇପଡ଼ିଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ବଜାର ଅସ୍ଥିର ହୋଇଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଭାବେ ଭାରତୀୟ ପରିବାର ଉପରେ ପଡ଼ିଛି। ଗ୍ୟାସ୍ ଅଭାବ ସହ ରିଫିଲ୍ ମୂଲ୍ୟ ବୃଦ୍ଧି ଏବଂ ବିଳମ୍ବିତ ବିତରଣ ଏବେ ଲୋକଙ୍କ ପାଇଁ ଦୈନନ୍ଦିନ ସଂଘର୍ଷର କାରଣ ହୋଇଛି।ଏହି ପରିସ୍ଥିତିରେ ଅନେକ ପରିବାର ପାରମ୍ପରିକ ରୋଷେଇ ପ୍ରଣାଳୀକୁ ଫେରିଯାଇଛନ୍ତି। କେହି କାଠ କିମ୍ବା କୃଷି ଅବଶିଷ୍ଟାଂଶ ବ୍ୟବହାର କରୁଥିବା ବେଳେ ଅନ୍ୟମାନେ ବିଦ୍ୟୁତ୍ ଚୁଲା, ଇଣ୍ଡକ୍ସନ କୁକଟପ୍ କିମ୍ବା ସୌର ଶକ୍ତି ଭିତ୍ତିକ ବ୍ୟବସ୍ଥାକୁ ନେଇଛନ୍ତି। କିନ୍ତୁ ଏହି ସବୁ ବିକଳ୍ପ ଅସ୍ଥାୟୀ ଏବଂ ବ୍ୟୟବହୁଳ ହେବା ସହ ବିଦ୍ୟୁତ୍ ନିର୍ଭରତା ନେଇ ଚିନ୍ତା ବଢ଼ାଇଛି। ଏମିତି ସମୟରେ ଉତ୍ତରାଖଣ୍ଡର ଦୁଇ ଭାଇ ଏକ ନୂତନ ଓ ସସ୍ତା ସମାଧାନ ଆଣି ସମସ୍ତଙ୍କ ଆକର୍ଷଣ କେଢ଼ିନେଇଛନ୍ତି।
ସେମାନେ ଗାଈ ଗୋବରରୁ ପ୍ରସ୍ତୁତ ପୋର୍ଟେବଲ୍ ବାୟୋଗ୍ୟାସ୍ ସିଲିଣ୍ଡର ତିଆରି କରିଛନ୍ତି, ଯାହା ମାତ୍ର ୫୦୦ ଟଙ୍କାରେ ଉପଲବ୍ଧ। ୩୦ କିଲୋଗ୍ରାମର ଏହି ସିଲିଣ୍ଡରରେ ପ୍ରାୟ ୧୮ କିଲୋଗ୍ରାମ ବାୟୋଗ୍ୟାସ୍ ସଂରକ୍ଷିତ ହୋଇଥାଏ, ଯାହା ଘରୋଇ ରୋଷେଇ ପାଇଁ ଉପଯୋଗୀ।ଏହି ପଦ୍ଧତିରେ ପାରମ୍ପରିକ ଜ୍ଞାନକୁ ଆଧୁନିକ ପ୍ରଯୁକ୍ତି ସହ ମିଶାଇ ସହଜ ଏବଂ ବ୍ୟବହାରଯୋଗ୍ୟ ବିକଳ୍ପ ତିଆରି କରାଯାଇଛି। ଗୋବର ଭଳି ଜୈବ ଅବଶିଷ୍ଟକୁ ବ୍ୟବହାର କରି ମିଥେନ ଗ୍ୟାସ୍ ଉତ୍ପାଦନ କରାଯାଉଥିବାରୁ ଏହା ପରିବେଶ-ମିତ୍ର ମଧ୍ୟ ଅଟେ।
ଏହା ଘରୋଇ ଖର୍ଚ୍ଚ କମାଇବା ସହ କାର୍ବନ ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରେ।ସୋସିଆଲ ମିଡିଆରେ ଏହି ମଡେଲ ବ୍ୟାପକ ପ୍ରଶଂସା ହାସଲ କରୁଥିବା ବେଳେ ଏହାକୁ ଭବିଷ୍ୟତରେ ଗ୍ରାମୀଣ ଭାରତ ପାଇଁ ଏକ ଦୃଢ଼ ବିକଳ୍ପ ଭାବେ ଦେଖାଯାଉଛି। ଏହିପରି ନବୀନ ପ୍ରୟାସ ଦେଶକୁ ଆମଦାନୀ ଇନ୍ଧନ ଉପରେ ନିର୍ଭରତା କମାଇବାରେ ମଧ୍ୟ ମୁଖ୍ୟ ଭୂମିକା ନେଇପାରେ।

