ନ୍ୟୁଜ ଡେକ୍ସ : ରାଜ୍ୟସଭା ସାଂସଦ ଡାକ୍ତର ସସ୍ମିତ ପାତ୍ର ବିଜେଡ଼ି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଖବର ରାଜନୈତିକ ମହଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ସୋମବାର ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ତେବେ ଏହି ବିଷୟରେ ସସ୍ମିତ ପାତ୍ରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଆସିନାହିଁ।
ସୂଚନା ଅନୁସାରେ, ଇସ୍ତଫା ପୂର୍ବରୁ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ, ଯାହା ଘଟଣାକୁ ଆହୁରି ଗୁରୁତ୍ୱ ଦେଇଛି। ଏହା ପଛରେ କିଛି ଦଳୀୟ ଏବଂ ସଂସଦୀୟ ମତଭେଦ ଥିବା ଆଶଙ୍କା କରାଯାଉଛି।ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ଦଳରେ ପ୍ରବେଶକୁ ନେଇ କିଛି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଦିଲ୍ଲୀରେ ସଂତୃପ୍ତଙ୍କ ପ୍ରଭାବ ବଢ଼ିବାର ଆଶଙ୍କା ମଧ୍ୟ ରହିଥିବାରୁ ଦଳ ଭିତରେ ମତଭେଦ ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପଟେ, ୱାକଫ୍ ସଂଶୋଧିତ ବିଲ୍ ନେଇ ଦଳର ଦୁଇ ସାଂସଦଙ୍କ ମଧ୍ୟରେ ଖୋଲା ମତଭେଦ ମଧ୍ୟ ଦେଖାଯାଇଥିଲା। ରାଜ୍ୟସଭା ସାଂସଦ ହିଜବୁଲ୍ଲା ଖାଁ ଅର୍ଥାତ୍ ମୁନ୍ନା ଖାଁ ବିଲ୍ ବିରୋଧରେ ଭୋଟ୍ ଦେଇଥିବାବେଳେ ସସ୍ମିତ ପାତ୍ର ବିବେକାନୁମୋଦିତ ଭୋଟ୍ ଦେଇଥିଲେ। ଏହା ପରେ ମୁନ୍ନା ଖାଁ ସସ୍ମିତଙ୍କ ବିରୋଧରେ ଖୋଲାଖୋଲି ଆକ୍ରୋଶ ପ୍ରକାଶ କରିଥିଲେ, ଯାହା ଦଳୀୟ ଏକତାକୁ ପ୍ରଶ୍ନର ସମ୍ମୁଖୀନ କରିଥିଲା।
ସସ୍ମିତ ପାତ୍ର ସଂସଦରେ ଏକ ସକ୍ରିୟ ଏବଂ ପ୍ରଭାବଶାଳୀ ସାଂସଦ ଭାବେ ପରିଚିତ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିରେ ସଦସ୍ୟ ଭାବେ କାମ କରିଆସୁଛନ୍ତି। ତେବେ ଗତ ମାର୍ଚ୍ଚ ୩୦ ତାରିଖରେ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ସସ୍ମିତ ପାତ୍ର ସୂଚନା ଓ ପ୍ରଯୁକ୍ତି ସଂସଦୀୟ କମିଟିର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
ଏହି ପର୍ଯ୍ୟାୟରେ ସସ୍ମିତ ପାତ୍ରଙ୍କ ଏହି ନୂତନ ଇସ୍ତଫାକୁ ଦଳ ଭିତରେ ଚାଲୁଥିବା ମତଭେଦର ଫଳ ଭାବେ ଦେଖାଯାଉଛି। ତଥାପି ଏହା ପଛରେ ସଠିକ୍ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। ଆଗାମୀ ଦିନରେ ଏନେଇ ଦଳର ପକ୍ଷରୁ କୌଣସି ଆଧିକାରିକ ଘୋଷଣା ଆସିପାରେ ବୋଲି ଆଶା କରାଯାଉଛି। ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ବିଜେଡ଼ି ସଂସଦୀୟ ଦଳର ନେତୃତ୍ୱ କେଉଁଠାରେ ଯିବ ଏବଂ ଦଳର ଆଗାମୀ ରଣନୀତି କଣ ରହିବ, ସେନେଇ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠିଛି।

