ନ୍ୟୁଜ ଡେକ୍ସ : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି, ଏପ୍ରିଲ ୧୦ରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଯାଉଛନ୍ତି। ତାଙ୍କର ଏହି ପଦକ୍ଷେପ ବିହାରର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସୂଚନା ଦେଉଛି। ରାଜ୍ୟସଭାରେ ତାଙ୍କ ପ୍ରବେଶ ସହିତ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପ୍ରଶସ୍ତ ହେବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
ଗୁରୁବାର ଏପ୍ରିଲ ୯ରେ ନୀତିଶ କୁମାର ଦିଲ୍ଲୀରେ ପହଞ୍ଚିଥିବାବେଳେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ କୁମାର ଝା ସମେତ ଦଳୀୟ ନେତାମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଥିଲେ ଯେ ସେ ଶପଥ ନେବା ପାଇଁ ଏଠାକୁ ଆସିଛନ୍ତି।ସୂଚନା ଅନୁଯାୟୀ, ନୀତିଶ କୁମାର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କ ଚାମ୍ବରରେ ଉଚ୍ଚ ସଦନର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କର ଏହି ଶପଥ ପରେ ବିହାରର ରାଜନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଆସିବା ନିଶ୍ଚିତ ବୋଲି ଧାରଣା କରାଯାଉଛି।
ନୀତିଶ କୁମାରଙ୍କ ରାଜ୍ୟସଭାକୁ ନିର୍ବାଚନ ପରେ ସେ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ବିହାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ତାଙ୍କ କଥାଅନୁଯାୟୀ, ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ନୂତନ ସରକାର ଗଠନ କରିବ ଏବଂ ଏପ୍ରିଲ ୧୪ରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ହେବା ଆଶା କରାଯାଉଛି।ସେ ଆହୁରି କହିଥିଲେ ଯେ, ଗତ ୨୦ ବର୍ଷ ଧରି ବିହାରରେ ନୀତିଶ କୁମାର ଯେଉଁ ‘ନୀତିଶ ମଡେଲ’ରେ ଶାସନ କରୁଥିଲେ, ଆଗାମୀ ସରକାର ମଧ୍ୟ ସେହି ପଥକୁ ଅନୁସରଣ କରିବ।
ଉଲ୍ଲେଖନୀୟ ଯେ, ନୀତିଶ କୁମାର ପୂର୍ବରୁ ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ମାର୍ଚ୍ଚ ୩୦ରେ ବିଧାନ ପରିଷଦ ଛାଡ଼ିଥିବାବେଳେ ମାର୍ଚ୍ଚ ୧୬ରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ।ସମଗ୍ର ଘଟଣାକ୍ରମ ବିହାରର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ଶାସନ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯିବ ବୋଲି ଅନୁମାନ କରାଯାଉଛି।

