ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟର ଆକାଶ ଏପର୍ଯ୍ୟନ୍ତ ଧୂଆଁ ଓ ରକ୍ତର ଗନ୍ଧରେ ଭରିରହିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ନୀରିହ ଜନସାଧାରଣଙ୍କ ଜୀବନ ନଷ୍ଟ ହେବାର ଦୁଃଖଦ ଘଟଣା ଏବେ ମଧ୍ୟ ମନରୁ ଲିଭିନାହିଁ। ବିଶେଷ କରି ଏକ ସ୍କୁଲ୍ ଉପରେ ହୋଇଥିବା ବିମାନ ଆକ୍ରମଣ, ଯେଉଁଠାରେ ଅନେକ ନିଷ୍ପାପ ପିଲାଙ୍କ ଜୀବନ ଯାଇଥିଲା, ସେହି ଘଟଣା ଆଜି ବି ବିଶ୍ୱକୁ ଅସ୍ଥିର କରୁଛି। ଏହି ରକ୍ତରଞ୍ଜିତ ସ୍ମୃତି ମଧ୍ୟରେ ଏବେ ଆସୁଛି ଏକ ନୂଆ ମୋଡ଼।
ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକା ଓ ଇରାନ ସିଧାସଳଖ ଆଲୋଚନା ପାଇଁ ଏକାଠି ହେଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବାକୁ ଯାଉଛି। ଶନିବାର ହେବାକୁ ଥିବା ଏହି ଆଲୋଚନାକୁ ନେଇ ବିଶ୍ୱର ଦୃଷ୍ଟି ଏବେ ସେଥିରେ ଅଟକିଛି।କିନ୍ତୁ ଆଲୋଚନା ପୂର୍ବରୁ ଇରାନ ଏମିତି ଏକ ଦୃଶ୍ୟ ପ୍ରକାଶ କରିଛି, ଯାହା ପୁଣିଥରେ ସେହି ଯନ୍ତ୍ରଣାକୁ ଜୀବନ୍ତ କରିଦେଇଛି। ଏକ ବିମାନ ଭିତରେ ରଖାଯାଇଥିବା ପିଲାମାନଙ୍କ ଫଟୋ, ରକ୍ତରେ ଦାଗ ହୋଇଥିବା ବ୍ୟାଗ ଓ ପୋଷାକ ଏହି ଦୃଶ୍ୟ ମନକୁ ଭୟଙ୍କର ଭାବରେ କମ୍ପିତ କରୁଛି। ଧଳା ଗୋଲାପ ଦ୍ୱାରା ଦିଆଯାଇଥିବା ଶ୍ରଦ୍ଧାଞ୍ଜଳି ସେହି ନିଷ୍ପାପ ଜୀବନମାନଙ୍କର ଅନୁପସ୍ଥିତିକୁ ଆଉ ବେଶି ଅନୁଭବ କରାଉଛି।ଇରାନୀ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଏହି ଫଟୋ ସେୟାର କରି କହିଛନ୍ତି, “ଏହି ବିମାନରେ ମୋର ସାଥୀ।”
ଏହି କଥାରେ ଲୁଚିଥିବା ବେଦନା ଏବଂ ସନ୍ଦେଶ ଦୁହିଁଟି ଏବେ ବିଶ୍ୱ ରାଜନୀତିକୁ ଉତ୍ତେଜିତ କରୁଛି। ମିନାବ ଆକ୍ରମଣରେ ଅତି କମରେ ୧୬୫ ପିଲାଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହେବାର ଘଟଣା ଏବେ ଆଲୋଚନା ମଞ୍ଚରେ ଏକ ଭାବନାପ୍ରବଣ ଅସ୍ତ୍ର ଭାବେ ଉପସ୍ଥିତ। ଇସଲାମାବାଦରେ ପହଞ୍ଚିବା ପରେ ଇରାନୀ ପକ୍ଷ ସ୍ପଷ୍ଟ କରିଛି ଯେ ସେମାନେ ଭଲ ଉଦ୍ଦେଶ୍ୟ ନେଇ ଆସିଛନ୍ତି, କିନ୍ତୁ ବିଶ୍ୱାସ ନେଇ ନୁହେଁ। ସେମାନଙ୍କ ଚେତାବନୀ ଯଦି ଆଲୋଚନା କେବଳ ଦେଖାଣିଆ ହୁଏ, ତେବେ ଉତ୍ତର ହେବ କଡ଼ା। ଅନ୍ୟପକ୍ଷରେ ଆମେରିକା ମଧ୍ୟ ସର୍ତ୍ତ ସହିତ ଆଗକୁ ବଢ଼ୁଛି, ଯେଉଁଠାରେ ସଦ୍ଭାବନା ଥିଲେ ମାତ୍ର ସହଯୋଗ ସମ୍ଭବ ବୋଲି କୁହାଯାଇଛି।
ଏହି ସମୟରେ ହର୍ମୁଜ୍ ପ୍ରଣାଳୀରେ ବଢୁଥିବା ଅଶାନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବିଶ୍ୱାସର ଅଭାବ ଆଲୋଚନାକୁ ଆଉ ବେଶି ଜଟିଳ କରିଦେଇଛି। ପ୍ରଶ୍ନ ଏବେ ଏକ ଏହି ବୈଠକ ଶାନ୍ତିର ଦ୍ୱାର ଖୋଲିବ କି ଆଉ ଏକ ଭୟଙ୍କର ସଂଘର୍ଷର ଆରମ୍ଭ ହେବ? ସମସ୍ତଙ୍କ ନଜର ଏବେ ଇସଲାମାବାଦରେ, ଯେଉଁଠାରେ କେବଳ ଦୁଇ ଦେଶ ନୁହେଁ, ସମ୍ପୂର୍ଣ୍ଣ ବିଶ୍ୱର ଭବିଷ୍ୟତ ଏକ ସୂକ୍ଷ୍ମ ସନ୍ତୁଳନରେ ଟାଙ୍କି ରହିଛି।

