Thu. Apr 16th, 2026

ନ୍ୟୁଜ ଡେକ୍ସ : ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ପାକିସ୍ତାନରେ ଆଲୋଚନା ଚାଲିଥିବା ବେଳେ ଭାରତ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଏହି ସମୟରେ ରୁଷ ଭାରତକୁ ତାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର Su-57 ଷ୍ଟିଲ୍ଥ ଲଢ଼ୁଆ ବିମାନ ଯୋଗାଇବା ପାଇଁ ପ୍ରସ୍ତାବ ଦେଇଛି, ଯାହା ଭାରତର ବାୟୁଶକ୍ତିକୁ ଅଧିକ ସୁଦୃଢ଼ କରିପାରିବ।ଆଧୁନିକ ଯୁଦ୍ଧରେ ଷ୍ଟିଲ୍ଥ ଟେକ୍ନୋଲୋଜି ଏବଂ ଉନ୍ନତ ରାଡାର ପ୍ରଣାଳୀର ଭୂମିକା ବଢ଼ିବା ସହିତ ବିଶ୍ୱର ବଡ଼ ଦେଶମାନେ ପଞ୍ଚମ ଓ ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ଉନ୍ନୟନରେ ଗୁରୁତ୍ୱ ଦେଉଛନ୍ତି।

ଆମେରିକା, ରୁଷ ଓ ଚୀନ୍ ପାଖରେ ପଞ୍ଚମ ପିଢ଼ିର ବିମାନ ଥିବାବେଳେ, ଆଗାମୀ ଦିନରେ ଷଷ୍ଠ ପିଢ଼ିର ବିମାନ ଯୁଦ୍ଧର ରୂପ ପରିବର୍ତ୍ତନ କରିଦେବ ବୋଲି ଅନୁମାନ କରାଯାଉଛି।ଏହି ପରିସ୍ଥିତିରେ ପାକିସ୍ତାନ ମଧ୍ୟ ଚୀନ୍‌ର ସହଯୋଗରେ ପଞ୍ଚମ ପିଢ଼ିର ବିମାନ ପାଇବାକୁ ଚେଷ୍ଟା କରୁଥିବା ଖବର ମିଳୁଛି। ଯଦି ଏହା ସଫଳ ହୁଏ, ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତ ସ୍ୱଦେଶୀ AMCA ପ୍ରକଳ୍ପ ଆରମ୍ଭ କରିଛି, ଯାହା ପୂରଣ ହେବାକୁ ଅଧିକ ସମୟ ଲାଗିପାରେ। ଏହି ଖାଲିସ୍ଥାନକୁ ପୂରଣ କରିବା ପାଇଁ ରୁଷର Su-57 ବିମାନ ପ୍ରସ୍ତାବକୁ ଏକ ମଧ୍ୟବର୍ତ୍ତୀକାଳୀନ ସମାଧାନ ଭାବେ ଦେଖାଯାଉଛି।

ଏହି ବିମାନ ଗୁପ୍ତ ଭାବେ ରାଡାରକୁ ଏଡ଼ାଇ ଯାଇ ମିଶନ୍ ସଫଳ କରିପାରିବାରେ ସକ୍ଷମ।ଖବର ଅନୁସାରେ, ଯଦି ଏହି ବର୍ଷ ଶେଷ ସୁଦ୍ଧା ଭାରତ ଓ ରୁଷ ମଧ୍ୟରେ ଚୁକ୍ତି ସାଇନ୍ ହୁଏ, ତେବେ ୨୦୨୭-୨୮ ମଧ୍ୟରେ ପ୍ରଥମ ବିମାନ ଯୋଗାଣ ଆରମ୍ଭ ହୋଇ ୨୦୩୦-୩୧ ସୁଦ୍ଧା ୩୬ରୁ ୪୦ଟି ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇପାରିବ।ଏହି ପ୍ରସ୍ତାବ ଏବେ ଭାରତର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଯଦି ଡିଲ୍ ସାକାର ହୁଏ, ତେବେ ଏହା ଦକ୍ଷିଣ ଏସିଆର ସୁରକ୍ଷା ସମୀକରଣକୁ ନୂଆ ଦିଗ ଦେଇପାରିବ।

Leave a Reply

Your email address will not be published. Required fields are marked *