ନ୍ୟୁଜ ଡେକ୍ସ : ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ଦୀର୍ଘ ୪୮ ବର୍ଷ ପରେ ଏହି ଭଣ୍ଡାରରେ ରହିଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ କରାଯିବ। ଏହା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନଭଣ୍ଡାର ଖୋଲାଯିବ।
ଟ୍ରେଜେରିରୁ ଚାବି ଆଣିବା ପରେ ଭଣ୍ଡାରର ଦ୍ୱାର ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଏହାକୁ ନେଇ ହୋଇଥିବା ବୈଠକରେ ଜିଲ୍ଲାପାଳ, ଏସପି ଓ ସୁପରଭାଇଜିଙ୍ଗ ଟିମ୍ ଉପସ୍ଥିତ ଥିଲେ। ଜଷ୍ଟିସ ବିଶ୍ୱନାଥ ରଥ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।ଗତକାଲି ଜଷ୍ଟିସ ରଥ ବାହାର ରତ୍ନଭଣ୍ଡାରରୁ ୩ଟି ଆଇଟମ୍ ଗାୟବ ଥିବା କହିଥିଲେ। କିନ୍ତୁ ମୁଖ୍ୟ ପ୍ରଶାସକ ଏହାକୁ ଗୁଜବ ବୋଲି ଖଣ୍ଡନ କରିଛନ୍ତି।ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିବା ସହ ଏହାର ଓଜନ ୪୩୬୪ ଭରି ଥିଲା।
ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ମଧ୍ୟ ରହିଛି। ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ରତ୍ନଭଣ୍ଡାରରେ ଗଣତିମଣତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୧୯୭୮ ମସିହାର ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହୋଇଥିବା ସୂଚନା ମିଳିଛି। ରୁପା ଅଳଙ୍କାରର ଓଜନ ୧୪,୮୭୮ ଭରି ୬ ଅଣା ଥିବା କୁହାଯାଇଛି।ଏଥର ଗଣତି ସମୟରେ ଓଜନ ମାପ ହେବ ନାହିଁ, କିନ୍ତୁ ପ୍ରତ୍ୟେକ ଆଇଟମ୍ ଅନୁଯାୟୀ ମେଳକ କରାଯାଇ ପୁନଃ ତାଲିକା ପ୍ରସ୍ତୁତ କରାଯିବ।

