ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ପ୍ରଫେସନାଲ କଲେଜଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ଗୁରୁତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି।ଯେଉଁ ଶିକ୍ଷାନୁଷ୍ଠାନରେ ଆଇସିସି ରହିଛି, ସେଠାରେ କମିଟି କିପରି କାର୍ଯ୍ୟକ୍ଷମ ହେଉଛି ତାହାର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି।
ଏହି ରିପୋର୍ଟ ୭ ଦିନ ମଧ୍ୟରେ, ଅର୍ଥାତ୍ ୧୭ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି।ଯେଉଁ ଶିକ୍ଷାନୁଷ୍ଠାନରେ ଆଇସିସି ନାହିଁ, ସେଠାରେ ତୁରନ୍ତ ଏହା ଗଠନ କରିବାକୁ କହାଯାଇଛି। ସମସ୍ତ କଲେଜକୁ ଆଇସିସି କମିଟିର କାର୍ଯ୍ୟକାରୀ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏନେଇ ସମସ୍ତ କଲେଜକୁ ସଚେତନ କରାଯାଇଛି।
ଯଦି କୌଣସି ଶିକ୍ଷାନୁଷ୍ଠାନ ଏହି ନିର୍ଦ୍ଦେଶକୁ ଅବହେଳା କରିଥାଏ, ତେବେ ସେମାନଙ୍କୁ ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟାରୁ ବାଦ ଦିଆଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିଠିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ। ଏହି କମିଟି ମାଧ୍ୟମରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ନିଜ ଅଭିଯୋଗ ଦାଖଲ କରିପାରିବେ ଏବଂ ଏହାର ସମାଧାନ କରାଯିବ।

