ନ୍ୟୁଜ ଡେକ୍ସ : ଢେଙ୍କାନାଳ ଜିଲ୍ଲାର ପାଟଲ୍ ଗ୍ରାମରେ ଘଟିଛି ଏକ ଦୁଃଖଦ ଅଘଟଣ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଲିମି ଥାନା ଅନ୍ତର୍ଗତ ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ (୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪)।ଏହି ଅଘଟଣରେ ଆହୁରି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପାଟଲ୍ ଗ୍ରାମର ପ୍ରଫୁଲ୍ଲ ତରାଇ (୫୦) ଓ ନିର୍ମଳ ସାହୁ।
ଗୁରୁତର ଅବସ୍ଥାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଗ୍ରାମରେ ମାଆ କାଳୀଙ୍କ ଦଣ୍ଡନାଚ ପାଇଁ ରବିବାର ସନ୍ଧ୍ୟାରେ କିଛି ଲୋକ ଷ୍ଟେଜ ପ୍ରସ୍ତୁତ କରୁଥିଲେ। ସେଥିବେଳେ ଏକ ଲୁହା ପାଇପ ଅସାବଧାନତାବଶତଃ ୧୧ କେଭି ବିଦ୍ୟୁତ କେବୁଲକୁ ଛୁଇଁଥିବାରୁ ଏହି ଦୁର୍ଘଟଣ ଘଟିଥିଲା।
ଏଥିରେ ମୋଟ ୫ ଜଣ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତରମାନେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

